
ଚନ୍ଦ୍ରପୁର,୦୨-୧୨-୨୦୨୦(ସନାତନ ନାୟକ/କୈଳାସ ମାଳବିଶୋଇ): ରାୟଗଡା ଜିଲ୍ଲାର ଗଞ୍ଜେଇ ଚାଷ ପାଇଁ ଚର୍ଚ୍ଚିତ ବ୍ଲକ ଚନ୍ଦ୍ରପୁରରେପୋଲିସ,ଅବକାରୀ ବିଭାଗ ଓ ବନ ବିଭାଗର ମିଳିତ ଚଢ଼ାଉରେ ଗଞ୍ଜେଇ ଚାଷର ଏକ ବୃହତ ଅଞ୍ଚଳକୁ ଠାବ କରିବା ସହିତ ଏହାକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦିଆଯାଇଛି।ମିଳିଥିବା ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଏହି ତିନି ବିଭାଗର ଅଧିକାରୀ ମାନେ ଏକ ମିଳିତ ଯୋଜନା ମୁତାବକ ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଞ୍ଚାୟତ ଖାମୀପଦର, ଖାମୁଣ୍ଡି ଓ ବନ୍ଦ୍ରୀ ଗାଁର ଘଞ୍ଚ ଜଙ୍ଗଲ ମଧ୍ୟସ୍ଥ ବନଭୂମି ଓ ନଦୀ ତଟସ୍ଥ ଆଦ୍ର ଭୂମି ଅଞ୍ଚଳରେ ନିଜ ନିଜର ବାହିନୀ ସହିତ ନିର୍ଧାରିତ ସ୍ଥାନରେ ପହଂଚି ଥିଲେ।ସେଠାରେ ସେମାନେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିବା କଅଁଳ ଛନଛନ ସବୁଜିମା ମୟ ଗଞ୍ଜେଇ କିଆରୀର ବିସ୍ତୃତ ଅଂଚଳ ଦେଖି ଆବାକ ହୋଇ ଯାଇଥିଲେ।
ଗତ୨୮ତାରିଖରୁ ଏହି ସୁପରିକଳ୍ପିତ ଅପରେସନ ଆରମ୍ଭ ହୋଇଥିଲା।ଏହାର ନେତୃତ୍ୱ ନେଇଥିଲେ ମୁନିଗୁଡାର ଦକ୍ଷ ପୋଲିସ ପ୍ରଶାସକ ଏସ୍ଡିପିଓ ଆକାଶ କୁମାର ସାହୁ ଆଉ ମୁନିଗୁଡା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର।ସେମାନଙ୍କର ନିର୍ଭୁଲ ଗୋଟି ଚାଳନା ଫଳରେ ଗଞ୍ଜେଇ ଚାଲାଣ ଓ ଚାଷର ଚରା ଭୁଇଁ ଚନ୍ଦ୍ରପୁରର ଅନେକ ରୋଚକ ତଥ୍ୟ ଲୋକ ଲୋଚନକୁ ଆସିବା ସହ ଏହି ଅପରେସନ ଗଞ୍ଜେଇ ମାଫିଆ ଆଉ ଦଲାଲଙ୍କ ନିଦ ହଜେଇ ଦେଇଛି।
ପ୍ରଥମ ଦିନ ୨୫ଏକର ଦୂତୀୟ ଦିନ ୬୦ଏକର ଓ ଆଜି ତୃତୀୟ ଦିବସରେ ୫୨ଏକର ଗଞ୍ଜେଇ ସମୁଦାୟ ୧୩୭ ଏକର ଗଞ୍ଜେଇ ନଷ୍ଟ କରିବାରେ ମିଳିତ ବାହିନୀ ସକ୍ଷମ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୧୭କୋଟି ଟଙ୍କାରୁ ଅଧିକା ହେବ ବୋଲି ଅଧିକାରୀ ମାନଙ୍କ କଥାରୁ ଜଣା ପଡ଼ିଛି।ତିନି ଦିନର ଅକ୍ଲାନ୍ତ ପରିଶ୍ରମ,ତିନି ବିଭାଗର ସଫଳ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଥିଲେ ମଧ୍ୟ ଏହିଭଳି ଶହଶହ ଏକର ଗଞ୍ଜେଇ ଚୋରା ଚାଷ ଚନ୍ଦ୍ରପୁରର ଅପହଞ୍ଚ ଅନ୍ଧାରି ଇଲାକାରେ ହୋଇଥିବା ଶୁଣାଯାଏ।ଏହି ସବୁ ଚାଷ ଆଉ ବେପାର କରୁଥିବା ବେପାରୀମାନେ ବହୁ ପ୍ରଭାବଶାଳୀ ମାଫିଆ।ରାଜ୍ୟ ବାହାରୁ ଓ ଭିତରୁ ଅନେକ ବେପାରୀ ଏବଂ ଦଲାଲ ଏହି ଅଂଚଳରେ ଡେରା ପକାଇ ଅଛନ୍ତି।ସ୍ଥାନୀୟ କିଛି ଲୋକ ଏମାନଙ୍କୁ ସହାୟତା କରି ମାଲେମାଲ ହେଉଥିବା
ଶୁଣିବାକୁ ମିଳୁଛି।
ଏବେ ନିକଟରେ ବିସମକଟକ ଏସ୍ଡିପିଓ ଭାବେ ଯୋଗଦେଇଥିବା ପୋଲିସ ପ୍ରଶାସକ ଆକାଶ କୁମାର ସାହୁ ଚନ୍ଦ୍ରପୁରର ଗଞ୍ଜେଇ ଚାଷ ଆଉ ବେପାରକୁ ନେଇ ଅପରେସନ ଜୋରଦାର କରିବା ପାଇଁ ସଂକଳ୍ପ ନେଇଥିବା ଜଣା ପଡେ।ଖୁବଶୀଘ୍ର ଏହି ଚାଷ ଆଉ ବେପାର ଏ ଅଂଚଳ ଛାଡିବାକୁ ବାଧ୍ୟ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିବା ସହ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଥିଲେ।କାଶ୍ମୀରରୁ ଫେରୁ ଥିବା ବ୍ୟକ୍ତିଙ୍କୁ କାଶ୍ମୀର ସାଲ ବା ଫଳ,ଆସାମ,କର୍ଣ୍ଣାଟକ ରୁ ଫେରୁଥିବା ଲୋକଙ୍କୁ ଗାଁର କିଛି ସମ୍ପର୍କୀୟ ଚାହା,ଚନ୍ଦନ କାଠ ଆଣିବା ପାଇଁ ବରାଦ କରିଥାନ୍ତି,ହେଲେ କେରଲରୁ ଏହି ଗାଁକୁ ଫେରିଥିବା ଜଣେ ଦାଦନ ଶ୍ରମିକଙ୍କୁ ସେଠାକାର ଜଣେ ଶୁଭେଚ୍ଛୁ କିଛି ଗଞ୍ଜେଇ ନେବା ପାଇଁ ଅନୁରୋଧ କରିଥିବା ଦୁଃଖର ସହ ପ୍ରକାଶ କରିଥିଲେ ଫେରିଥିବା ଦାଦନ ଜଣଙ୍କ।ଦିନଥିଲା ଓଡ଼ିଆ ସାଧବପୁଅର କୀର୍ତ୍ତିରେ ରାଜ୍ୟ ମହିମା ମଣ୍ଡିତ ଥିଲା।
ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଅଭଡ଼ା,ନିର୍ମାଲ୍ୟ ଅବା ଓଡ଼ିଆ ହସ୍ତଶିଳ୍ପ ପାଇଁ ଶୁଭେଚ୍ଛୁ ମାନେ ଅନୁନୟ କରୁଥିଲେ।କିନ୍ତୁ ସମୟ ସହିତ ଆମ ରାଜ୍ୟର ଚିତ୍ର ଆଉ ଚରିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।ନୀଳ ଜହରର ଚାଷ ଆଉ ଏହାର କଳା ବେପାରର ଚୋରା ଭୁଇଁ ପାଲଟି ଯାଉଛି ଏହି ଜଗନ୍ନାଥ ଦେଶ ଓଡ଼ିଆ ମାଟି।ଆଜି ଆମେ ସର୍ବଭାରତୀୟ ସ୍ତରରେ ଗଞ୍ଜେଇ ପାଇଁ ପରିଚୟ ସୃଷ୍ଟି କଲେଣି।ଏହାର ସମୂଳ ବିନାଶ ନିହାତି ଆବଶ୍ୟକ ହୋଇ ପଡିଛି ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି। ଏହି ମେଗା ଅପରେସନରେ ଏସ୍ଡିପିଓଙ୍କ ସହ ରେଞ୍ଜର ପ୍ରସନ କୁମାର ମିଶ୍ର,ଚନ୍ଦ୍ରପୁର ଆଇଆଇସି ମୁକୁନ୍ଦଦେବ ନାୟକ,ଫରେଷ୍ଟର ଜୟନାରାୟଣ ବେହେରା,ଡାଙ୍ଗସୋରଡା ଫାଣ୍ଡି ଷ୍ଟାପ,ଅବକାରୀ ବିଭାଗର ଅଧିକାରୀ ଓ ତିନି ବିଭାଗର କର୍ମଚାରୀ ଭାଗ ନେଇ ଦକ୍ଷତାର ସହ ଏହି ନୀଳ ଜହର ଗଞ୍ଜେଇ କ୍ଷେତକୁ ଧ୍ବଂସ କରିବା ଦାୟିତ୍ୱ ନିଭାଇଥିଲେ।












