
ନୂଆଦିଲ୍ଲୀ, ୨୭-୧୧-୨୦୨୦(ଜ଼ିଲ୍ଲା ଖବର) :
ଆଜି ସମ୍ବିଧାନ ଦିବସ ଉପଲକ୍ଷେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ଭୁବନେଶ୍ୱର ତରଫରୁ ଭାରତୀୟ ସମ୍ବିଧାନ : ଆମ ଗଣତନ୍ତ୍ରର ତାତ୍ତ୍ଵାବଧାରକ ଶୀର୍ଷକ ୱେବିନାର ଆୟୋଜିତ ହୋଇଛି । ଏହି ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଅମରେଶ୍ୱର ମିଶ୍ର କହିଛନ୍ତି, ଆମ ସମ୍ବିଧାନ ଏକ ଜୀବନ୍ତ ନଥି । ଏହା ଆମ ଦେଶର ସର୍ବୋଚ୍ଚ ଆଇନ ଗ୍ରନ୍ଥ । ଏକ ଜନ ମଙ୍ଗଳ ରାଷ୍ଟ୍ର ସମ୍ବିଧାନର ନୀତି ନିୟମ ଅନୁସାରେ ଚାଲିଥାଏ । ଆମ ସମ୍ବିଧାନ ହିଁ ଗଣତନ୍ତ୍ରର ପ୍ରମୁଖ ତାତ୍ତ୍ଵାବଧାରକ ।
ଗଣତନ୍ତ୍ର କହିଲେ ନାଗରିକମାନଙ୍କର ସ୍ୱାଧିନତା ଓ ଅଧିକାରର ସୁରକ୍ଷା ଏବଂ ଶାସନତନ୍ତ୍ରରେ ସକ୍ରିୟ ଜନଭାଗିଦାରୀକୁ ବୁଝାଇଥାଏ । ଆମ ସମ୍ବିଧାନ ଦେଶରେ ପ୍ରତ୍ୟେକ ବର୍ଗଙ୍କ ସ୍ୱାଧିନତା, ସମାନତା ଓ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥାଏ ବୋଲି ଡଃ ମିଶ୍ର କହିଥିଲେ । ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଉଭୟ ନାଗରିକ ଓ ଶାସନ ଭାର ତୁଲାଉଥିବା ଜନପ୍ରତିନିଧି ଓ ଅଧିକାରୀଙ୍କ ମନରେ ସମ୍ବିଧାନର ନୀତି, ନିୟମ ଓ ଚେତନା ସର୍ବଦା ରହିବା ଆବଶ୍ୟକ ବୋଲି ଡଃ ମିଶ୍ର କହିଥିଲେ ।
ୱେବିନାରରେ ଅନ୍ୟତମ ବକ୍ତାଭାବେ ଯୋଗଦେଇ ସିଏସଆଇଆରଡି କୋଲକାତାର ନିର୍ଦ୍ଦେଶକ ଡଃ ବିନୋଦ କୁମାର ମିଶ୍ର କହିଥିଲେ ଭାରତ ଏକ ବିବିଧତାରେ ପୂର୍ଣ୍ଣ ରାଷ୍ଟ୍ର । ଏଠାରେ ବହୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ତେଣୁ ଦେଶର ସାମଗ୍ରୀକ ବିକାଶ ପାଇଁ ଏକ ସମାବେଶୀ ଗଣତନ୍ତ୍ର ଆବଶ୍ୟକ । ଆମ ସମ୍ବିଧାନ ଦେଶରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ସମାନ ସୁବିଧା ସୁଯୋଗ, ସ୍ୱାଧିନତା ଓ ଅଧିକାର ପ୍ରଦାନ କରିଛି । ୱେବିନାରର ଅନ୍ୟତମ ବକ୍ତା ଆରଓବି ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ, ଆମ ସମ୍ବିଧାନ ନାଗରିକଙ୍କ ଆଶା, ଆକାଂକ୍ଷା ଏବଂ ରାଷ୍ଟ୍ରୀୟ ଚରିତ୍ର ଓ ଚେତନାର ପ୍ରତିଫଳନ ।
ୱେବିନାରରେ ଅଂଶଗ୍ରହଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ କହିଥିଲେ, ଏକ ଅତି ଅହ୍ୱାନପୂର୍ଣ୍ଣ ସମୟରେ ଆମ ସମ୍ବିଧାନ ତିଆରି ହୋଇଥିଲା । ସେହି ସମୟରେ ସମସ୍ତ ଦେଶବାସୀଙ୍କ ଆଶା ଆକାଂକ୍ଷାକୁ ପୁରଣ କରିବା ତଥା ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ଏକ ସମ୍ବିଧାନ ପ୍ରସ୍ତୁତି କରିବା ଏହାର ନିର୍ମାତାମାନଙ୍କ ପାଇଁ ଏକ କଠିନ କାମ ଥିଲା । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଦୂରଦୃଷ୍ଟି ଫଳରେ ଆମେ ବିଶ୍ୱର ଶ୍ରେଷ୍ଠ ସମ୍ବିଧାନ ପାଇଲୁ ଏବଂ ଏହା ଦୀର୍ଘ 7 ଦଶନ୍ଧି ଧରି ସଫଳତାର ସହ ଦେଶର ପ୍ରତ୍ୟେକ ବର୍ଗଙ୍କ ମୌଳିକ ଅଧିକାର ଓ ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି । ଏହି ୱେବିନାରକୁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦୀପକ କୁମାର ରାଉତ ପରିଚାଳନା କରିଥିଲେ । ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ସମସ୍ତ ବିଭାଗର ଅଧିକାରୀ, ବୁଦ୍ଧିଜୀବି, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।





