Wednesday, July 22, 2026
Home ଜାତୀୟ ଆସାମରେ ବାୟୁସେନାର ସୁଖୋଇ- ୩୦ ବିମାନ ଦୁର୍ଘଟଣାଗ୍ରସ୍ତ

ଆସାମରେ ବାୟୁସେନାର ସୁଖୋଇ- ୩୦ ବିମାନ ଦୁର୍ଘଟଣାଗ୍ରସ୍ତ

38

ନୂଆଦିଲ୍ଲୀ,୯/୮(ଜିଲ୍ଲା ଖବର) : ଗୁରୁବାର ରାତିରେ ଆସାମର ତେଜପୁର ଠାରେ ଭାରତୀୟ ବାୟୁସେନାର ଗୋଟାଏ ସୁ-୩୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ, ଏଥିରେ ଥିବା ଦୁଇଜଣ ପାଇଲଟ୍‌ ନିରାପଦରେ ବାହାରି ଆସିଛନ୍ତି।ଦୁଇଜଣ ପାଇଲଟ୍‌ ଥିବା ଲଢୁଆ ଜେଟ୍‌ଟି ସ୍ଥାନୀୟ ଫ୍ଲାଇଙ୍ଗ୍‌ ଏରିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତୁରନ୍ତ ସେ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା।ଜଣେ ପାଇଲଟ୍‌ଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି ବୋଲି ପ୍ରତିରକ୍ଷା ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି।ରୁଟିନ୍‌ ଟ୍ରେନିଙ୍ଗ୍‌ ମିସନ୍‌ରେ ଉଡ଼ାଣ କରୁଥିବା ବେଳେ ରାତି ପ୍ରାୟ ୮: ୩୦ ମିନିଟ୍‌ ସମୟରେ ତାହା ମିଲନପୁର ଅନ୍ତର୍ଗତ ଗୋଟାଏ ଧାନବିଲକୁ ଖସିପଡ଼ି ଜଳି ଉଠିଥିଲା। ଦୁର୍ଘଟଣାର କାରଣ ସଂକ୍ରାନ୍ତରେ କୌଣସି ତଥ୍ୟ ମିଳିନାହିଁ, କିନ୍ତୁ ଇଞ୍ଜିନ୍‌ରେ ତ୍ରୁଟି ଦେଖା ଦେଇଥିବା କଥା ପାଇଲଟ୍‌ମାନେ କହିଛନ୍ତି। ବାୟୁସେନା କହିଛି କାରଣ ଜାଣିବାକୁ କୋର୍ଟ ଅଫ୍‌ ଇନ୍‌କ୍ୱାରି ଏହାର ତଦନ୍ତ କରିବ।ଦୁର୍ଘଟଣା ଯୋଗୁଁ ସର୍ବସାଧାରଣ ଧନଜୀବନ ନଷ୍ଟ ହୋଇ ନାହିଁ। ସ୍ଥାନୀୟ ଲୋକେ ଦୁଇ ପାଇଲଟ୍‌ଙ୍କୁ ତେଜପୁର ଠାରେ ଥିବା ଆର୍ମି ବେସ୍‌ ହସ୍‌ପିଟାଲ୍‌କୁ ନେଇଯାଇଥିଲେ।ଜଳନ୍ତା ବିମାନରୁ ନିଆଁ ଲିଭାଇବାକୁ ଘଟଣାସ୍ଥଳକୁ ଦମକଳ ଯାଇଥିଲା ବୋଲି ଅଗ୍ନିଶମ ବିଭାଗ କହିଛି।