
ଜଟଣୀ, ୨୦-୧୧-୨୦୨୦( ସଞ୍ଜୀବ କୁମାର) : ପୌରପରିଷଦ ଅଧୀନ ସହରାଞ୍ଚଳ ଜନବସତିରେ ଚାଲିଛି ବେଆଇନ ଡାଏରୀଫାର୍ମ । କିଛି ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଗାଈଗୁହାଳ କରି ରାସ୍ତାକଡ଼ରେ ଗୋବର ଗଦା କରି ରଖୁଛନ୍ତି । ଫଳରେ ଏଠାରେ ରହୁଥିବା ଲୋକେ ଦୁର୍ଗନ୍ଧରେ ଅତିଷ୍ଠା ହେବାସହିତ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଜଟଣୀ ପୌରପରିଷଦରେ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ ବି ପୌରପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଉନଥିବା କୁହାଯାଇଛି । କେତେକ ବ୍ୟକ୍ତି ଗୋପାଳନ କରି ସ୍ବତନ୍ତ୍ର ଡାଏରୀ ଫାର୍ମ ଖୋଲିଛନ୍ତି । ଯାହା ଫଳରେ ପ୍ରତ୍ୟେକ ଦିନ ରାସ୍ତା ଉପରେ ଖାତ ଖୋଳି ଗୋମୂତ୍ର ଓ ମଳ ଜମାକରି ରଖୁଛନ୍ତି ।
କେତେକ ସ୍ଵାର୍ଥବାଦୀ ଲୋକଙ୍କ ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ପୌରପରିଷଦର ଜନବହୁଳ ଅଞ୍ଚଳ ୱାର୍ଡ ନଂ ୧୨,୧୩ ଓ ୧୪ରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ଜନସାଧାରଣ ବ୍ୟବହୃତ କରୁଥିବା ମୁକୁଳା ଡେରେ ଏମାନେ ପ୍ରତିଦିନ ଗୋମୂତ୍ର ଛାଡୁଥିବାବେଳେ ନିକଟରେ ଘରକରି ରହୁଥିବା ଲୋକେ ଦୁର୍ଗନ୍ଧରେ ଅତିଷ୍ଠା ହୋଇଯାଉଥିବା ଅଭିଯୋଗ କରିଛନ୍ତି । ମୁଖ୍ୟ ରାସ୍ତାକୁ ଲାଗି ବଡ଼ ଖାତ ଖୋଳି ସେଥିରେ ଗୋବର ଜମା କରି ରଖୁଥିବାରୁ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ନାକରେ ହାତଦେଇ ଯିବାକୁ ବାଧ୍ୟ ହେଉଛନ୍ତି ।
ସେହିପରି କେତେକ ମାଲିକ ସେମାନଙ୍କ ଗାଈଗୁଡ଼ିକୁ ମୁଖ୍ୟ ରାସ୍ତାରେ ଛାଡ଼ି ଦେବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । କେତେକ ଡାଏରୀ ଫାର୍ମ ପାର୍ଶ୍ବରେ ସ୍କୁଲ, ଟ୍ୟୁଟୋରିଆଲ, ବ୍ୟବସାୟ ପ୍ରତିଷ୍ଠାନ, ବାସଗୃହ ଆଦି ରହିଥିବାରୁ ସେଠାକୁ ଯାଉଥିବା ଲୋକେ ହଇରାଣ ହେଉଛନ୍ତି । ବାଛରାପାଟଣା ଅଞ୍ଚଳରେ ସାହି ମଧ୍ୟକୁ ପ୍ରତିଦିନ ଗୋମୂତ ଓ ମଳ ଛାଡୁଥିବା ନେଇ ସାହି ବାସିନ୍ଦାମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଅନ୍ୟପକ୍ଷରେ ଏହାର ପ୍ରତିବାଦ କଲେ ଧମକ ମିଳୁଥିବା ଯୋଗୁଁ ଲୋକେ ଡରିମରି ରହୁଥିବା ଜଣାପଡ଼ିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।









