Home ଜାତୀୟ ୧୦୦ ସ୍ମାର୍ଟ ସିଟି ପକ୍ଷରୁ ୩୦ ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ପ୍ରସ୍ତୁତ

୧୦୦ ସ୍ମାର୍ଟ ସିଟି ପକ୍ଷରୁ ୩୦ ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ପ୍ରସ୍ତୁତ

29
R Images/ZK

ନୂଆଦିଲ୍ଲୀ, ୧୯-୧୧-୨୦୨୦(ଜ଼ିଲ୍ଲା ଖବର) : ଭାରତର ସହରାୟନ ପ୍ରକ୍ରିୟାରେ ପୁଞ୍ଜି ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିବେଶକମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ତୃତୀୟ ବାର୍ଷିକ ବ୍ଲୁମ୍‌ବର୍ଗ ନୂତନ ଆର୍ଥିକ ଫୋରମ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ‘ଆପଣମାନେ ଯଦି ସହରାୟନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ, ତାହାହେଲେ ଭାରତରେ ସେଥିପାଇଁ ଉତ୍ତମ ଓ ଆକର୍ଷଣୀୟ ସୁଯୋଗ ସୁବିଧା ରହିଛି । ଆପଣ ଯଦି ମବିଲିଟି (ଗମନାମଗମନ) କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହାଁନ୍ତି ସେଥିପାଇଁ ମଧ୍ୟ ଭାରତରେ ପର୍ୟ୍ୟାପ୍ତ ସୁବିଧା ସୁଯୋଗ ରହିଛି । ଆପଣ ଯଦି ଇନୋଭେସନ କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ଚାହାଁନ୍ତି, ସେଥିପାଇଁ ଭାରତରେ ଚମକ୍ରାର ସୁବିଧା ସୁଯୋଗ ଉପଲବ୍‌ଧ । ଆପଣ ଯଦି ସଷ୍ଟେନେବଲ ସଲୁସନ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହାନ୍ତି ସେଥିପାଇଁ ଭାରତରେ ଆକର୍ଷଣୀୟ ସୁବିଧା ସୁଯୋଗ ରହିଛି । ଏହି ସୁଯୋଗ ସହ ଭାରତରେ ଏକ ଦୃଢ ଓ ସ୍ଥିର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କାର୍ୟ୍ୟ କରୁଛି । ଦେଶରେ ବ୍ୟବସାୟ ଅନୁକୂଳ ପରିବେଶ, ଏକ ବିରାଟ ବଜାର ଏବଂ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଏକ ଉତ୍ତରଦାୟୀ ସରକାର ମଧ୍ୟ ରହିଛି । ଭାରତକୁ ଏକ ବୈଶ୍ୱିକ ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ପାଇଁ ସରକାର ସବୁମନ୍ତେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ।’

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କୋଭିଡ୍‌ ପରବର୍ତ୍ତୀ ବିଶ୍ୱରେ ଏକ ପୁନରାମ୍ଭର ଆବଶ୍ୟକତା ପଡିବ । ତେଣୁ ସେଥିପାଇଁ ଆମକୁ ପୁନଃ ସଂଯୋଜିତ (ରିସେଟ୍‌) ହେବାକୁ ପଡିବ । ଏହି ପୁନଃ ସଂଯୋଜନା ବିନା ଏହି ପୁନରାମ୍ଭ ସମ୍ଭବ ହେବ ନାହିଁ । ଆମର ମାନସିକତାକୁ ବଦଳାଇ ପୁନଃ ସଂସ୍ଥାପିତ କରିବାକୁ ପଡିବ । ପ୍ରକି୍ରୟା ଏବଂ ଅଭ୍ୟାସକୁ ପୁନଃସଂସ୍ଥାପିତ କରିବାକୁ ହେବ । ଏହି ମହାମାରୀ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୀତି ଓ ବ୍ୟବସ୍ଥା ବିକଶିତ କରିବାକୁ ସୁଯୋଗ ପ୍ରଦାନ କରିଛି । ‘ଭବିଷ୍ୟତ ପାଇଁ ଏକ ସ୍ଥିତିସ୍ଥାପକ ବ୍ୟବସ୍ଥା ନିର୍ମାଣ କରିବାକୁ ଆମେ ଯଦି ଚାହୁଁ ତାହାହେଲେ ଏହି ସୁଯୋଗକୁ ସମଗ୍ର ବିଶ୍ୱ କରାୟତ୍ତ କରିବା ଉଚିତ । କୋଭିଡ୍‌ ପରବର୍ତ୍ତୀ ବିଶ୍ୱ ଆବଶ୍ୟକତା ବିଷୟରେ ଆମକୁ ଭାବିବାକୁ ପଡିବ । ଆମ ସହରାଞ୍ଚଳ କେନ୍ଦ୍ର ବା ଅର୍ବାନ ସେଣ୍ଟରଗୁଡିକ ଏହି ନବଯୌବନ ପ୍ରାପ୍ତିର ଏକ ଉତ୍ତମ ପ୍ରାରମ୍ଭିକ ବିନ୍ଦୁ ହେବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅର୍ବାନ ସେଣ୍ଟରର ନବକଳେବର ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ କେନ୍ଦ୍ରମାନ ଆମ ପୁନରୁଦ୍ଧାର ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ପାଲଟିବ । ଜନତାଙ୍କୁ ସର୍ବବୃହତ୍‌ ସମ୍ବଳ ଏବଂ ସାମଜ ଓ ସଂପ୍ରଦାୟଙ୍କୁ ସର୍ବବୃହତ୍‌ ଅଟ୍ଟାଳିକାଭାବେ ଚିତ୍ରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ମହାମାରୀ ଆଉଥରେ ପ୍ରମାଣିତ କରିଦେଇଛି ଯେ ସମାଜ ଓ ବ୍ୟବସାୟ କ୍ଷେତ୍ରରେ ଜନତା ହିଁ ସବୁଠୁ ବଡ଼ ସମ୍ବଳ । କୋଭିଡ୍‌ ପରବର୍ତ୍ତୀ ପୃଥିବୀକୁ ଗଢିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ମୌଳିକ ସମ୍ବଳକୁ ବିଜ୍ଞତାର ସହ ଉପଯୋଗ କରିବାକୁ ପଡିବ ।’ ମହାମାରୀ ସମୟରେ ମିଳିଥିବା ଶିକ୍ଷାକୁ ପାଥେୟ କରି ଆଗକୁ ବଢିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଲକ୍‌ଡାଉନ ସମୟର ସ୍ୱଚ୍ଛ ପରିବେଶ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଆମେ ଏମିତି ନଗରୀ ସବୁ ଗଢିପାରିବା କି? ଯେଉଁଠି ସ୍ୱଚ୍ଛ ପରିବେଶ ଏକ ନୀତିଭାବେ ପରିଗଣିତ ହେବ? ‘ଆମେ ଭାରତରେ ଅର୍ବାନ ସେଣ୍ଟରମାନ ନିର୍ମାଣ କରିବାକୁ ଚେଷ୍ଟା କରୁଛୁ । ସେଥିରେ ନଗରୀଗୁଡିକର ସମସ୍ତ ସୁଖସୁବିଧା ଏବଂ ଗ୍ରାମର ଚେତନା ରହିବ’ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତରେ ସହରାଞ୍ଚଳର ରୂପରେଖ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ ସଂପର୍କରେ ସେ ଫୋରମ୍‌କୁ ସୂଚନା ଦେଇଥିଲେ । ଭାରତରେ କାର୍ୟ୍ୟକାରୀ ହେଉଥିବା ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ, ସୁଲଭ ଆବାସ ଯୋଜନା, ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଆଇନ ଏବଂ ୨୭ଟି ନଗରୀର ମେଟ୍ରୋ ରେଳ ସଂପର୍କରେ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘୨୦୨୨ ସୁଦ୍ଧା ପାଖାପାଖି ୧୦୦୦ କିମି ମେଟ୍ରୋରେଳ ଟ୍ରାକ ଭାରତରେ ବିଛାଇବାକୁ ଥିବା ଆମର ଲକ୍ଷ୍ୟ ଅନୁସାରେ କାମ ଆଗେଇ ଚାଲିଛୁ ଏବଂ ଏଥିରେ ଆମେ ସଫଳ ହେବୁ ।’

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ‘ଆମେ ଦୁଇ ପର୍ୟ୍ୟାୟ ଭିତ୍ତିକ ପ୍ରକ୍ରିୟାରେ ଦେଶରେ ୧୦୦ଟି ସ୍ମାର୍ଟସିଟି ବାଛିଛୁ । ଏହା ଏକ ରାଷ୍ଟ୍ରବ୍ୟାପୀ ପ୍ରତିଯୋଗିତା ମାଧ୍ୟମରେ କରାଯାଇଛି । ଏଥିରେ ସହଯୋଗଭିତ୍ତିକ ଓ ପ୍ରତିଯୋଗିତାମୂଳକ ସଂଘୀୟ ଦର୍ଶନ ପ୍ରତିଫଳିତ ହୋଇଛି । ଏହି ସବୁ ସ୍ମାର୍ଟସିଟି ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବା ୩୦ ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ବା ୨୦ ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଶେଷ ହୋଇଛି କିମ୍ବା ଶେଷ ହେବାକୁ ଯାଉଛି ।’