
ନୂଆଦିଲ୍ଲୀ, ୧୯-୧୧-୨୦୨୦(ଜ଼ିଲ୍ଲା ଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ।
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବାରୁ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରେ ଗଣତାନ୍ତ୍ରିକ ପରମ୍ପରାର ଶକ୍ତି ଏବଂ ନମନୀୟତାର ଏହା ହେଉଛି ଏକ ପ୍ରମାଣ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ସିନେଟର କମଳା ହ୍ୟାରିସଙ୍କୁ ମଧ୍ୟ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ୨୦୧୪ ଏବଂ ୨୦୧୬ରେ ଆମେରିକାକୁ ସରକାରୀ ଗସ୍ତରେ ଯାଇଥିବା ବେଳେ ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ହୋଇଥିବା ଆଲୋଚନାକୁ ସ୍ମରଣ କରିଛନ୍ତି । ୨୦୧୬ ଗସ୍ତ ବେଳେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଯୋଶେଫ ଆର. ବାଇଡେନ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ ।
ଟେଲିଫୋନ ବାର୍ତ୍ତାଳାପ ଅବସରରେ ଉଭୟ ନେତା ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୈତିକ ସହଯୋଗିତାକୁ ଆହୁରି ସମୃଦ୍ଧ କରିବା ଏବଂ ଦ୍ୱିପାକ୍ଷିକ ମୂଲ୍ୟବୋଧ ଓ ଉଭୟଙ୍କ ହିତ ପାଇଁ କାର୍ୟ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ । ଏଥିସହ କୋଭିଡ-୧୯ ମହାମାରୀର ମୁକାବିଲା, ସୁଲଭ ଦରରେ ଟିକା ଯୋଗାଣ, ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱୟ ବୃଦ୍ଧି ଭଳି ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ ।









