
ନୂଆଦିଲ୍ଲୀ,୧୩-୧୧-୨୦୨୦ (ଜ଼ିଲ୍ଲା ଖବର) :
ନମସ୍ତେ, ମହାମହିମ, ପ୍ରଧାନମନ୍ତ୍ରୀ ନୁୟେନ ସୁୱନ ଫୁକ୍, ମହାମହିମଗଣ, ପ୍ରତି ବର୍ଷ ଭଳି ଆମେ ହାତରେ ହାତକୁ ମିଶାଇ ନିଜର ପାରମ୍ପରିକ ସାମୂହିକ ଫଟୋ ଉଠାଇ ପାରୁନାହୁଁ! କିନ୍ତୁ ତଥାପି ମୁଁ ଖୁସି ଯେ ଏହି ଭର୍ଚୁଆଲ ମାଧ୍ୟମରେ ଆମେ ସାକ୍ଷାତ କରୁଛେ । ସର୍ବପ୍ରଥମେ ମୁଁ ଆସିଆନର ବର୍ତ୍ତମାନର ଅଧ୍ୟକ୍ଷ ଭିଏତନାମ ଏବଂ ଆସିଆନରେ ଭାରତର ବର୍ତ୍ତମାନର ସମନ୍ୱୟକାରୀ ଦେଶ ଥାଇଲ୍ୟାଣ୍ଡର ପ୍ରଶଂସା କରିବାକୁ ଚାହୁଁଛି । କୋଭିଡ଼ର ଅସୁବିଧା ମଧ୍ୟରେ ଆପଣମାନେ ନିଜର ଦାୟିତ୍ୱକୁ ବହୁତ ଭଲ ଭାବେ ତୁଲାଇଛନ୍ତି ।
ମହାମହିମଗଣ,
ଭାରତ ଏବଂ ଆସିଆନର ରଣନୀତିକ ଭାଗିଦାରୀ ଆମର ଭାବବିନିମୟ ଐତିହାସିକ, ଭୌଗୋଳିକ ଏବଂ ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ । ଆସିଆନ ସମୂହ ଆରମ୍ଭ ହେବା ଦିନଠାରୁ ଆମର ଆକ୍ଟ-ଇଷ୍ଟ (ପୂର୍ବ ଅଭିମୁଖୀ) ନୀତି କେନ୍ଦ୍ରରେ ରହିଆସିଛି ।
ଆମର ‘ଭାରତ ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ’ ଏବଂ ଆସିଆନର ‘ଆଉଟଲୁକ୍ ଅନ୍ ଇଣ୍ଡୋ ପାସିଫିକ’ ମଧ୍ୟରେ ଅନେକ ସମାନତା ରହିଛି । ଆମେ ମାନୁଛୁ ଯେ ‘ଏହି ଅଂଚଳରେ ନିରାପତ୍ତା ଏବଂ ବିକାଶ’ ପାଇଁ ‘ଏକତ୍ର ଏବଂ ପ୍ରତିକ୍ରିୟାଶୀଳ ଆସିଆନ’ର ଆବଶ୍ୟକତା ଅଛି ।
ଭାରତ ଏବଂ ଆସିଆନ ମଧ୍ୟରେ ସମସ୍ତ ପ୍ରକାରର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ- ଶାରୀରିକ, ଆର୍ଥିକ, ସାମାଜିକ, ଡିଜିଟାଲ, ଅର୍ଥନୈତିକ, ନୌବାଣିଜ୍ୟ- ଆମ ପାଇଁ ହେଉଛି ଏକ ପ୍ରମୁଖ ପ୍ରାଥମିକତା । ବିଗତ କିଛି ବର୍ଷରେ ଆମେ ଏହି ସମସ୍ତ କ୍ଷେତ୍ରରେ ନିକଟତର ହୋଇଛେ । ମୋର ବିଶ୍ୱାସ ଯେ ଆଜି ଆମର ଆଲୋଚନା, ଆମ ମଧ୍ୟରେ ଦୂରତାକୁ ଆହୁରି ହ୍ରାସ କରିବାରେ ଲାଭଦାୟକ ହେବ । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଆଜିର ଆଲୋଚନା ପାଇଁ ଧନ୍ୟବାଦ ଜଣାଉଛି ।



