କନ୍ଧମାଳ ଜିଲ୍ଲା: ଦାଦନ ଶ୍ରମିକ ନିଖୋଜ

25


ବାଲିଗୁଡା,୧୯/୯ (ସୁରେଶ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ଦୁଃଖ ବୃଦ୍ଧି ପାଇବାରେ ଲାଗିଛି I ଅଞ୍ଚଳବାସି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ କେତେବେଳେ ମାଲିକ ମାନଙ୍କ ନିର୍ୟ୍ୟାତନାର ଶିକାର ହେଉଛନ୍ତି ‘ତ ଆଉ କେତବେଳେ ଅକାଳ ମୃତ୍ୟୁର ଶିକାର ହେଉଥିବାର ବହୁ ନଜର ରହିଛି I

ସେହିଭଳି ବର୍ତ୍ତମାନ ଆଉ ଏକ ଘଟଣା ପୁଣି ସାମ୍ନାକୁ ଆସିଛି I କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡୁରା ପଞ୍ଚାୟତର ପୋଖରୀବନ୍ଧ ଗ୍ରାମର ବିଦ୍ୟାଧର ନାୟକ ଙ୍କ ପୁଅ  ଆଶିଷ ନାୟକ ନାମକ ଜଣେ (୨୨) ବର୍ଷୀୟ ଯୁବକ ୬ମାସ ପୂର୍ବେ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ଗୋଟିଏ ସୁତା କଳରେ ଦାଦନ ଖଟିବାକୁ ଯାଇଥିଲେ I

ଗତ ବୁଧବାର ୧୧ତାରିଖ ଦିନ ଆଶିଷ ଟ୍ରେନ ଯୋଗେ ନିଜଗାଁ ଅଭିମୁଖେ ବାହାରିଥିଲେ ବୋଲି ଫୋନେରେ ଜଣାଇ ଥିଲେ, ହେଲେ ଆଜକୁ ଠିକ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଆଶିଷ ଏ ପର୍ୟ୍ୟନ୍ତ ଗାଁକୁ ଆସିନାହାନ୍ତି, ଏନେଇ ପରିବାର ପକ୍ଷରୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର କୌଣସି ସନ୍ଧାନ ପାଇପାରିନଥିଲେ I

ଶେଷରେ ଆଜି ବୁଧବାର ଦିନ ବାଧ୍ୟ ହୋଇ ଆଶିଷଙ୍କ ବାପା ବାଲିଗୁଡା ଥାନାରେ ଏତଲା ଦେଇଥିବା ଜଣାପଡିଛି I ସେପଟେ ପୁଅର ନିଖୋଜ ଖବରକୁ ନେଇ ପରିବାର ବର୍ଗ ଚିନ୍ତାରେ, ଅଶ୍ରୁଳ ଚକ୍ଷୁରେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ I ଏଥିପ୍ରତି ପୋଲିସ ବିଭାଗ ଉଚ୍ଚ କର୍ତ୍ତପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆଶିଷକୁ ଖୋଜି ବାହାର କରିବାକୁ ପରିବାର ପକ୍ଷରୁ ଦାବୀ ହେଉଛି I

ଆଶିଷ ନାୟକ