
ଆସିକା,୧୯/୯ (ଖିରୋଦ ଚନ୍ଦ୍ର ବେହେରା) : ଆସିକା କୃଷି ସୂଚନା ପରାମର୍ଶ କେନ୍ଦ୍ର ଠାରେ ଜୀବନାଶକର ସଠିକ ଓ ନିରାପଦ ବ୍ୟବହାର ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଶିବିର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ,ଓଡିଶା ଭୁବନେଶ୍ୱର ଓ ଆସିକା ଜିଲ୍ଲା କୃଷି ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ରିୟ କୃଷି ବିକାଶ ଯୋଜନା ୨୦୧୯-୨୦ ବର୍ଷର କୃଷି ଜିଲ୍ଲା ସ୍ତରୀୟ ତାଲିମ ଶିବିରରେ ଜିଲ୍ଲା କୃଷି ଅଧିକାରୀ ସତ୍ୟ ପ୍ରସାଦ ସମାନ୍ତରା, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୃଷି ଅଧିକାରୀ ସିତାଶୁଂ ମଲ୍ଲିକ, ଆସିକା ସହକାରୀ କୃଷି ଅଧିକାରୀ ଦିପକ କୁମାର ନାୟକ, ଅନ୍ୟତମ ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ ।

ଏହି ତାଲିମ ଶିବିରରେ ରୋଗ ନିରୁପଣର ନିରାକରଣ, ଔଷଧର ଉପଯୁକ୍ତ ସମନ୍ୱିତ ପରିଚାଳନା, ଅଳ୍ପ ଖର୍ଚ୍ଚରେ ରାସାୟନିକ ଔଷଧ ଅପେକ୍ଷା ଜୈବିକ ଔପଚାର ମାଧ୍ୟମରେ ରୋଗ ପୋକ ଓ ଫସଲ ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଜିଲ୍ଲା କୃଷି ଅଧିକାରୀ ଓ ଆସିକା ବ୍ଲକ କୃଷି ଜିଲ୍ଲା ଅନ୍ତର୍ଗତ ଗ୍ରାମ୍ୟ କୃଷୀ କର୍ମଚାରୀ,କୃଷି ଅଧିଦର୍ଶକ, ସହକାରୀ କୃଷି ଅଧିଦର୍ଶକ, କୃଷକ ସାଥୀ ଓ ଆତ୍ମା କର୍ମଚାରୀ ସମେତ ପ୍ରାୟ ଶହେରୁ ଉର୍ଦ୍ଧ କର୍ମଚାରୀ ଶିବିରରେ ଯୋଗ ଦେଇଥିଲେ ।



