Sunday, November 15, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା: ଦୂର୍ଘଟଣାରେ ଆହତ ସନ୍ଧ୍ୟା ରାଣୀଙ୍କୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ...

ଗଞ୍ଜାମ ଜିଲ୍ଲା: ଦୂର୍ଘଟଣାରେ ଆହତ ସନ୍ଧ୍ୟା ରାଣୀଙ୍କୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ସହାୟତା ପ୍ରଦାନ

38

ଗଞ୍ଜାମ,୦୮-୧୧-୨୦୨୦(ଜିଲ୍ଲା ଖବର): ଆନ୍ଦ୍ର ପ୍ରଦେଶର ବିଜଓ୍ବାଡା ଅଞ୍ଚଳର ଏକ ସୂତା କଳରେ କାମ କରୁଥିବା ଗଞ୍ଜାମ ଜିଲ୍ଲା ରମ୍ଭା ସହରର ଲକ୍ଷ୍ମୀପୁର ସାହିର ରଘୁନାଥ ବେହେରାଙ୍କ ବଡ଼ ଝିଅ ସନ୍ଧ୍ୟା ରାଣୀ ବେହେରା ଦୂର୍ଘଟଣା ଗ୍ରସ୍ତ ହୋଇ ପଙ୍ଗୁ ଅବସ୍ଥାରେ ଘରେ ପଡି ରହିଛନ୍ତି। ଘରର ଆର୍ଥିକ ସ୍ଥିତି ସ୍ବଛଳ ନଥିବାରୁ ଝିଅର ଚିକିତ୍ସା ପାଇଁ ପରିବାର ଲୋକେ ଧାର କରଜ କରି ସର୍ବଶାନ୍ତ୍ବ ହୋଇ ଶେଷରେ ରାସନ କାର୍ଡକୁ ବନ୍ଧକ ଦେବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହୋଇଥିଲା। ଗଂଜାମ ସହରର ଯୁବନେତା ସୁଧୀର କୁମାର ପାଢୀ ୧୦ ହଜାର ଦେଇ ବନ୍ଧକ ଥିବା ରାସନ କାର୍ଡକୁ ମୁକୁଳାଇଥିଲେ। ଗଣମାଧ୍ୟମରୁ ଏହି ଖବର ପ୍ରସାରିତ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଳ୍ପନା କୁମାରୀ ସ୍ବାଇଁ ଜିଲ୍ଲା ପାରାଲିଗାଲ ଭଲ୍ୟୁଣ୍ଟର ପଦ୍ମଚରଣ ସାହୁଙ୍କୁ ସତ୍ୟାସତ୍ୟ ବୁଝିବା ପାଇଁ ପିଡୀତାଙ୍କ ଘରକୁ ପଠାଇ ଥିଲେ। ଶ୍ରୀ ସାହୁ ଓ ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ ପୀଡିତାଙ୍କ ଘରକୁ ଯାଇ ତଦନ୍ତ କରିବା ସହ ସହଯୋଗ ନିମନ୍ତେ ହାତ ବଢ଼ାଇ ଥିଲେ ।ତଦନ୍ତ ରିପୋର୍ଟକୁ ଭିତ୍ତି କରି ସନ୍ଧ୍ୟା ରାଣୀଙ୍କ ଚିକିତ୍ସା, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ଆର୍ଥିକ ସହାୟତା ପାଇଁ ମାନ୍ୟବର ସଚିବ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ଜଣାଇଥିଲେ।
ଜିଲ୍ଲାପାଳ ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ପରେ ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ସନ୍ଧ୍ୟା ରାଣୀଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରି ଥିବା ବେଳେ ଗଞ୍ଜାମ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ମହାରଣା ତାଙ୍କ ଟିମ ସହ ସନ୍ଧ୍ୟାଙ୍କ ଘରେ ପହଞ୍ଚି ତାଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେବା ସହ ଭିନ୍ନକ୍ଷମ ମାସିକ ସାତଶହ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ତାଙ୍କୁ ଏକ ହ୍ଵିଲ ଚ୍ୟାୟାର ପ୍ରଦାନ କରାଯାଇଛି। ସାଧାରଣରେ ଏହି ବିଷୟ ଚର୍ଚ୍ଚା ହେବା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉପରେ ଲୋକଙ୍କ ଆସ୍ଥା ପ୍ରକଟ ହୋଇଛି। ଏଥିରେ ଗଣମାଧ୍ୟମ ପ୍ରତିନିଧି ନିଳାଞ୍ଚଳ ସେନାପତି ଓ ପ୍ରଦୀପ୍ତ ସାହୁ ସହଯୋଗ କରିଥିଲେ।

ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ