
ଦିଗପହଣ୍ଡି,୦୭-୧୧-୨୦୨୦( ଜିଲ୍ଲା ଖବର): ଦିଗପହଣ୍ଡି ବ୍ଳକ ଜକର ଗାଁ ରେ ଦିନକୁ ଦିନ ରାଜନୈତିକ ହିଂସା ତେଜିବାରେ ଲାଗିଛି।ଗତ ରବିବାର ରାଜନୈତିକ ଆକ୍ରୋଶ ରୁ ଗ୍ରାମର ବାବୁଲା ରେଡ୍ଡୀ ଙ୍କୁ ପ୍ରତିପକ୍ଷ ଗୋଷ୍ଠୀର କିଛି ଯୁବକ ପୂର୍ବ ଯୋଜନା ପ୍ରକାରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବୀ ରେ ଗୁରୁବାର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି କେ. ନୂଆଗାଁ ଥାନାରେ ପହଞ୍ଚି ଥାନା ଅଧିକାରୀ ମାଧବାନନ୍ଦ ନାୟକ ଙ୍କ ଅନୁପସ୍ଥିତିରେ ଏସ ଆଇ ଶିଶିର ସାହାଣୀ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାବୁଲା ଙ୍କ ସ୍ତ୍ରୀ ବାସନ୍ତୀ ରେଡ୍ଡୀ ଏନେଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୪୮/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ପୋଲିସ ମକଦ୍ଦମା ରୁଜୁ କରିଥିଲେ ମଧ୍ୟ ଅଦ୍ୟାବଧି କାହାରିକୁ ଗିରଫ କରାଯାଇନଥିବା ବେଳେ ଅଭିଯୁକ୍ତ ମାନେ ଗାଁ ରେ ନିର୍ବିଘ୍ନ ରେ ବୁଲୁଥିବା ସ୍ମାରକପତ୍ର ରେ ଉଲ୍ଲେଖ ରହିଛି।ଏନେଇ ଥାନା ଆଇ ଆଇ ସି ଙ୍କୁ ପଚାରିବାରୁ ଉଭୟପକ୍ଷ ଙ୍କ ଏତଲା କ୍ରମେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି।



