୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରେଳ କର୍ମଚାରୀମାନଙ୍କୁ ଉତ୍ପାଦନ ଭିତ୍ତିକ ବୋନସ ପ୍ରଦାନକୁ କ୍ୟାବିନେଟ ମଞ୍ଜୁରି

32

ନୂଆଦିଲ୍ଲୀ, ୧୮/୯ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୧୮-୧୯ବର୍ଷ ଲାଗି ଯୋଗ୍ୟ ୧୧,୫୨,୩୦୮ ଅଣ-ଗେଜେଟେଡ ରେଳ କର୍ମଚାରୀ (ଆରପିଏଫ/ ଆରପିଏସଏଫଙ୍କୁ ବାଦ ଦେଇ)ଙ୍କୁ ୭୮ ଦିନର ବେତନ ସମତୁଲ୍ୟ ଉତ୍ପାଦନ ଭିତ୍ତିକ ବୋନସ (ପିଏଲବି) ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିଯୋଗୁ ସରକାରୀ ରାଜକୋଷ ଉପରେ ୨୦୨୪.୪୦ କୋଟି ଟଙ୍କାର ବୋଝ ପଡ଼ିବ । ତେବେ ଏହା ରେଳ କର୍ମଚାରୀଙ୍କ ମଧ୍ୟରେ ଉଦ୍ୟୋଗିକ ଶାନ୍ତି ବଜାୟ ରଖିବା ସହିତ ସେମାନଙ୍କୁ କାର୍ୟ୍ୟ କରିବା ଲାଗି ଅଧିକ ଉତ୍ସାହିତ କରିବ ।

ଲାଭ : ଯୋଗ୍ୟ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କାର୍ମିକମାନଙ୍କୁ ବାଦ ଦେଇ)ଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୭୮ ଦିନର ବେତନ ସମତୁଲ୍ୟ ଉତ୍ପାଦନ ଭିତିକ ବୋନସ (ପିଏଲବି) ପ୍ରଦାନ କରାଯିବା ଫଳରେ ରେଳବାଇର କାର୍ୟ୍ୟ ସମ୍ପାଦନରେ ସୁଧାର ଆସିବ । ଅଧିକ ସଂଖ୍ୟାରେ ରେଳ କର୍ମଚାରୀ କାମ କରିବା ଲାଗି ଉତ୍ସାହିତ ହେବେ । ଏହାଦ୍ୱାରା ଔଦ୍ୟୋଗିକ ଶାନ୍ତି ବଜାୟ ରଖିବା ସହିତ ଉତ୍ପାଦକତା ସ୍ତର ମଧ୍ୟ ବୃଦ୍ଧି ପାଇବ । ରେଳବାଇର ପ୍ରଭାବଶାଳୀ ପରିଚାଳନା ପ୍ରତି ସେମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମସ୍ତ ଅଣଗେଜେଟେଡ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଉଛି । ଅଧିକ ସଂଖ୍ୟାରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିଜନଙ୍କ ପାଇଁ ଏହି ମାନ୍ୟତା ଫଳରେ ସେମାନଙ୍କ ମଧ୍ୟରେ ସମାବେଶୀ ଓ ଏକଜୁଟ ମନୋଭାବ ବୃଦ୍ଧି ପାଇବ । (ସ୍ରୋତ-ପିଆବି)