ନୂତନ ଭାବେ ନିର୍ଦ୍ଧାରଣ ହେବ ଭାରତୀୟ ସୀମାର ଇତିହାସ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅନୁମତି ପ୍ରଦାନ

46

ନୂଆଦିଲ୍ଲୀ, ୧୮/୯ : ଭାରତୀୟ ସୀମାର ଇତିହାସ ନୂତନ ଭାବେ ନିର୍ଦ୍ଧାରଣ ହେବ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ସ୍ଵୀକୃତି ପ୍ରଦାନ କରିଛନ୍ତି । ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ନେହରୁ ମେମୋରିଆଲ ସଂଗ୍ରହାଳୟ ଓ ପୁସ୍ତକାଳୟ, ଅଭିଲେଖାଗାର ମହାନିର୍ଦ୍ଦେଶକ, ଗୃହ, ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ସେପ୍ଟେମ୍ବର ୧୭, ୨୦୧୯ରେ ନୂଆଦିଲ୍ଲୀଠାରେ ଏହି ବିଷୟରେ ଶ୍ରୀ ସିଂହ ଏକ ବୈଠକ ଆୟୋଜନ କରିଥିଲେ । ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ଯେ, ଭାରତୀୟ ସୀମାର ଇତିହାସ ନୂତନ ଭାବେ ନିର୍ଦ୍ଧାରଣ କରିବାର ଏହି କାର୍ୟ୍ୟରେ ସୀମାସହ ଜଡିତ ବିଭିନ୍ନ ଦିଗକୁ ସାମିଲ କରାଯିବ, ଯେଉଁଥିରେ ସୀମା ନିର୍ଦ୍ଧାରଣ, ପରିବର୍ତ୍ତନ, ସୁରକ୍ଷା ବାହିନୀର ଭୂମିକା, ସୀମାବର୍ତ୍ତୀ ଲୋକଙ୍କ ଭୂମିକା ଓ ସେମାନଙ୍କ ଜୀବନର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ସ୍ଥିତିକୁ ସାମିଲ କାରାଯିବ । ଏହି ପରିଯୋଜନା ଦୁଇ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ନୂତନ ଭାବେ ସୀମାର ଇତିହାସ ଲେଖାଯିବା ଫଳରେ ଲୋକମାନଙ୍କୁ ଏବଂ ବିଶେଷକରି ଅଧିକାରୀମାନଙ୍କୁ ଦେଶର ସୀମା ଭଲଭାବେ ବୁଝିବାରେ ସହାୟତା ମିଳିପାରିବ । ଶ୍ରୀ ରାଜନାଥ ସିଂହ ଏହି ପରିଯୋଜନା ସମ୍ପର୍କରେ ମିଳିଥିବା ବିଭିନ୍ନ ପରାମର୍ଶକୁ ସ୍ଵାଗତ କରିଥିଲେ ଏବଂ ଏହାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଲାଗି ଆବଶ୍ୟକ ଉତ୍ସ ସାମଗ୍ରୀ, ବ୍ୟାପକ ସନ୍ଦର୍ଭ, କାର୍ୟ୍ୟପ୍ରଣାଳୀ ଓ କାର୍ୟ୍ୟଯୋଜନା ଉପରେ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ଲୋକ ତଥା ବିଶେଷକରି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଜାତୀୟ ସୀମା ପ୍ରତି ସଚେତନ କରିବା ଉଦ୍ଦେଶ୍ୟରେ ଏ ଧରଣର ଏହା ପ୍ରଥମ ପରିଯୋଜନା ବୋଲି କୁହାଯାଉଛି । (ସ୍ରୋତ-ପିଆବି)