ଇଲେକ୍ଟ୍ରାନିକ ସିଗାରେଟ ନିଷେଧ ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରି

16
Image Source by: sarkaritel.com

• ପ୍ରଥମ ଥର ଆଇନ ଉଲ୍ଲଙ୍ଘନ ପାଇଁ ବର୍ଷେ ଜେଲ ଓ 1 ଲକ୍ଷ ଟଙ୍କା ଜୋରିମାନା
• ଦ୍ୱିତୀୟବାର ଉଲ୍ଲଙ୍ଘନ ଲାଗି 3 ବର୍ଷ ଜେଲ ଓ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା
• ଇ-ସିଗାରେଟ ମହଜୁଦ ପାଇଁ 6 ମାସ ଜେଲ ଓ 50 ହଜାର ଜୋରିମାନା
• ନିଶା କାରବାର ହ୍ରାସ ଓ ସ୍ୱାସ୍ଥ୍ୟ କଲ୍ୟାଣ ଦିଗରେ ପ୍ରମୁଖ ପଦକ୍ଷେପ

ନୂଆଦିଲ୍ଲୀ, ୧୮/୯ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇଲେକ୍ଟ୍ରୋନିକ ସିଗାରେଟ (ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ, ବିତରଣ, ମହଜୁଦ ଏବଂ ବିଜ୍ଞାପନ) ନିଷେଧ ଅଧ୍ୟାଦେଶ, ୨୦୧୯ର ଘୋଷଣାକୁ ମଞ୍ଜୁର କରିଛନ୍ତି । ଏହି ମଞ୍ଜୁରି ଦେଶର ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ ବୋଲି କୁହାଯାଉଛି ।

ଇଲେକ୍ଟ୍ରୋନିକ ସିଗାରେଟ ବ୍ୟାଟେରୀଯୁକ୍ତ ଉପକରଣ ହୋଇଥିବା ବେଳେ ଏହା ତରଳ ନିକୋଟିନକୁ ଗରମ କରି ଏରୋସୋଲ ଉତ୍ପନ୍ନ କରିଥାଏ । ସାଧାରଣ ସିଗାରେଟରେ ଏରୋସୋଲ ହେଉଛି ଏକ ପ୍ରକାର ନିଶାଯୁକ୍ତ ପଦାର୍ଥ । ଇ-ସିଗାରେଟରେ ସମସ୍ତ ପ୍ରକାରର ଇଲେକ୍ଟ୍ରୋନିକ ନିକୋଟିନ ଡେଲିଭରୀ ସିଷ୍ଟମ, ଜଳାଇବା ପରିବର୍ତ୍ତେ ଗରମ ହେଉଥିବା ଉତ୍ପାଦ, ଇ-ହୁକ୍କା ଏବଂ ଅନୁରୂପ ଅନ୍ୟ ଉପକରଣ ମଧ୍ୟ ସାମିଲ ରହିଛି । ଏପରି ନୂଆ ଉତ୍ପାଦ ଆକର୍ଷକ ତଥା ବିଭିନ୍ନ ସୁଗନ୍ଧଯୁକ୍ତ ହୋଇଥାନ୍ତି । ଏହାର ଉପଯୋଗ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିକଶିତ ଦେଶଗୁଡ଼ିକରେ, ବିଶେଷ କରି ଯୁବକ ଏବଂ ଶିଶୁମାନଙ୍କ ଠାରେ ଏହା ଏକ ମହାମାରୀର ରୂପ ନେଇଛି ।

କାର୍ୟ୍ୟାନ୍ୱୟନ : ଅଧ୍ୟାଦେଶ ଘୋଷଣା ହେବା ପରେ ଇ-ସିଗାରେଟର କୌଣସି ପ୍ରକାର ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ (ଅନଲାଇନ ବିକ୍ରି ସମେତ), ବିତରଣ କିମ୍ବା ବିଜ୍ଞାପନ (ଅନଲାଇନ ବିଜ୍ଞାପନ ସମେତ)କୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ । ପ୍ରଥମ ଥର ଅପରାଧ କ୍ଷେତ୍ରରେ ଏକ ବର୍ଷ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଅଥବା ଉଭୟ ଦଣ୍ଡ ବିଧାନ କରାଯିବ । ପୁଣି ଥରେ ଅପରାଧ କରିବା ଲାଗି ତିନି ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଏବଂ ପାଞ୍ଚ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଲାଗୁ ହୋଇପାରେ । ଇଲେକ୍ଟ୍ରୋନିକ ସିଗାରେଟ ମହଜୁଦ କରି ରଖିବା ପାଇଁ ମଧ୍ୟ ୬ ମାସ ପର୍ୟ୍ୟନ୍ତ ଜେଲ ଦଣ୍ଡ ଅଥବା ୫୦ ହଜାର ଟଙ୍କା ଜୋରିମାନା ଅଥବା ଉଭୟ ଦଣ୍ଡ ବିଧାନ କରାଯିବ ।

ଅଧ୍ୟାଦେଶ ଲାଗୁ ହେବା ତାରିଖ ଠାରୁ ଇ-ସିଗାରେଟ ମହଜୁଦକାରୀମାନେ ସେମାନଙ୍କ ମହଜୁଦ ଉତ୍ପାଦ ସମ୍ପର୍କରେ ଘୋଷଣା କରି ନିକଟସ୍ଥ ପୁଲିସ ଥାନାରେ ଜମା କରିବାକୁ ହେବ । ପୁଲିସ ସବଇନ୍ସପେକ୍ଟରଙ୍କୁ ଅଧ୍ୟାଦେଶ ଅନ୍ତର୍ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ନିର୍ଦ୍ଧାରିତ କରାଯାଇଛି । ଅଧ୍ୟାଦେଶର ବ୍ୟବସ୍ଥାକୁ ଲାଗୁ କରିବା ଲାଗି କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମାନ ପାହ୍ୟାର କୌଣସି ଅଧିକାରୀଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ନିଯୁକ୍ତ କରିପାରିବେ ।