
ଜଟଣୀ,୨/୧୧(ଜିଲ୍ଲା ଖବର) : ତ୍ରୟୋଦଶତମ ମେଧାବୀ ପ୍ରତିଭା ଅଭିନନ୍ଦନ ଉତ୍ସବ ଜଟଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପାଣ୍ଡବ ଜେନା ଫାଉଣ୍ଡେସନ ଓ ସଂସ୍କୃତି ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଜଟଣୀ ବ୍ଳକ୍ ଓ ମ୍ୟୁନିସିପାଲିଟି ଅଞ୍ଚଳର ପ୍ରତିଭାବାନ ଓ ଗରିବ ୧୨୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଣ୍ଡବ ଜେନା ଫାଉଣ୍ଡେସନ ଆର୍ଥକ ସହାୟତା ସହ ସାଇକେଲ ଇତ୍ୟାଦି ପ୍ରଦାନ କରିଛନ୍ତି । ଆଜକୁ ଦୀର୍ଘ ୧୩ବର୍ଷ ହେଲା ପାଣ୍ଡବ ଜେନା ଫାଉଣ୍ଡେସନ ଓ ସଂସ୍କୃତି ସୁରକ୍ଷା ସମିତି ମିଳିତ ଭାବେ ନିଷ୍ପତ୍ତି ନେଇ ଗରିବ ପିଲାମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଚାଲିଛନ୍ତି । ପାଣ୍ଡବ ଜେନା ଫାଉଣ୍ଡେସନ କେବଳ ମେଧାବୃତ୍ତି ନୁହେଁ ଗରିବ ଲୋକମାନଙ୍କ ମଧ୍ୟରୁ ୫୮ଜଣ ବ୍ୟକ୍ତିଙ୍କୁ ବିନା ମୂଲ୍ୟରେ ହାର୍ଟ ଅପରେସନ( ହୃଦ୍ ରୋଗ) କରାଇବା ସହିତ ୩୨୨୪ଜଣଙ୍କ ଚକ୍ଷୁ ଅସ୍ତ୍ରୋପଚାର କରାଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ଦୀର୍ଘ ୧୩ବର୍ଷ ଧରି ଏହି ଅନୁଷ୍ଠାନ ୪୫୫୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ତଭୁର୍ବ ଶିକ୍ଷା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛି ।
ଏହି ଉତ୍ସବରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଜଣେ ପିଲା ଦୃଢ଼ ମନୋବଳ ଓ ଆତ୍ମ ବିଶ୍ବାସ ରଖିଲେ ନିଶ୍ଚୟ ଉତ୍ତମ ଛାତ୍ର ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ସନ୍ତୋଷ ଜେନା, ଅବସରପ୍ରାପ୍ତ ଶିକ୍ଷକ ଦାଶରଥ ମିଶ୍ର, ତ୍ରିଲୋଚନ ମହାପାତ୍ର ଓ ଗୌରାଙ୍ଗ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସହାୟତା ରାଶି ସହ ସମ୍ମାନିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ପ୍ରିତମ ପ୍ରିୟଦର୍ଶନ ମାର୍ଥା, ଐଶ୍ବର୍ଯ୍ୟା ପ୍ରିୟଦର୍ଶିନୀ ଓ ଗଙ୍ଗପଡ଼ା ବିଦ୍ୟାଳୟର ଶୁଭଲକ୍ଷ୍ମୀ ସାହୁ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ପ୍ରଧାନ, ଆରସି ସାହୁ, ପ୍ରଦୀପ କୁମାର ବାରିକ, ରେନ୍ଦ୍ର ଜେନା, ଅଶୋକ ସାହୁ, ଚିତ୍ତର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।
ରିପୋର୍ଟ ସଞ୍ଜୀବ କୁମାର ।



