
ବାଲିଗୁଡ଼ା,୨୨/୧୦ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର ଅନ୍ତର୍ଗତ ତମାଙ୍ଗି ଉପର ସାହିରେ ରହୁଥିବା 62 ବର୍ଷୀୟ ପନ୍ଦରମଲିକ ବୁଧବାର ସକାଳ ପ୍ରାୟ 7ଟା ସମୟରେ ନିଜ ସ୍ତ୍ରୀ ଓ ପୁଅଙ୍କୁ ନେଇ ଗ୍ରାମରୁ ପ୍ରାୟ 4 କିଲୋମିଟର ଦୂର ଗାଇଗାଡା ଜଙ୍ଗଲ ନିକଟରେ ଥିବା ନିଜ ଚାଷଜମିକୁ ଯାଉଥିଲେ । ପନ୍ଦର ମଲିକ ଆଗେ ଆଗେ ଚାଲି ଚାଲି ଯାଉଥିବା ବେଳେ ପଛରେ ସ୍ତ୍ରୀ ଓ ପୁଅ ତାଙ୍କ ପଛେ ପଛେ ଯାଉଥିଲେ । ତେବେ ଅଚାନକ ଜଙ୍ଗଲ ମଝିରେ ଦୁଇଜଣ ମୁଖାଧାରୀ ଦୁର୍ବୁର୍ତ୍ତ ପନ୍ଦର ମଲିକଙ୍କୁ ରାସ୍ତାରେ ଅଟକାଇ କିଛି ବୁଝିବା ଆଗରୁ ସେମାନଙ୍କ ହାତରେ ଥିବା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପନ୍ଦରଙ୍କୁ ଦୁବୃର୍ତ୍ତମାନେ ଆକ୍ରମଣ କରୁଥିବା ବେଳେ କିଛି ଦୂରରେ ସ୍ତ୍ରୀ ଓ ପୁଅ ଦେଖୁଥିଲେ ମଧ୍ୟ ସେମାନେ ପ୍ରାଣ ଭୟରେ ପାଖକୁ ଯାଇନଥିଲେ। ମା’ ଓ ପୁଅ ଗାଁକୁ ଦୌଡ଼ି ଯାଇ ଘଟଣା ସଂପର୍କରେ ଗ୍ରାମବାସୀଙ୍କୁ କହିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପନ୍ଦର ମଲ୍ଲିକଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା । ଏ ସମ୍ପର୍କରେ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ରଂଜିତ କୁମାର ମୁନି ,ଏସ୍ ଆଇ ସଂଗ୍ରାମକେଶରୀ ଜେନା ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଭୋରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ପନ୍ଦର ମଲିକ ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି ଅଟନ୍ତି ଓ ତାଙ୍କ ଝିଅ ମନ୍ଦାକିନି ବର୍ତ୍ତମାନ ହାତିମୁଣ୍ଡା ପଞ୍ଚାୟତର ସରପଂଚ ଅଛନ୍ତି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



