
ଜଟଣୀ,୨୧/୧୦(ଜିଲ୍ଲା ଖବର) : ଚଳିତବର୍ଷ ଭାରତୀୟ ରେଳବିଭାଗ କର୍ମଚାରୀଙ୍କୁ ବୋନସ୍ ଦେବା ପାଇଁ ମନା କରିଦେଇଛି । ଯାହାର ପ୍ରତିବାଦରେ ରେଳ ଶ୍ରମିକ ସଙ୍ଗଠନ ପକ୍ଷରୁ ବୋନସ ଦିବସ ପାଳନ କରାଯାଇଛି । ସର୍ବଭାରତୀୟ ରେଲୱେ ମେନ୍ସ ଫେଡେରେସନ (ଏଆଇଆରଏଫ) ଓ ପୂର୍ବତଟ ରେଳପଥ ରେଳ ଶ୍ରମିକ ୟୁନିଅନ୍ର ମିଳିତ ସହଯୋଗରେ ମଙ୍ଗଳବାର ସ୍ଥାନୀୟ ଶାଖା କାର୍ଯ୍ୟାଳୟଠାରେ ଏହି ବୋନସ୍ ଦିବସ ପାଳିତ ହୋଇଛି । ଏଆଇଆରଏଫର ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ରେଳଶ୍ରମିକମାନଙ୍କ ପ୍ରତି ହେଉଥିବା ସରକାରଙ୍କ ଶ୍ରମିକମାରଣ ନୀତିକୁ ବିରୋଧ କରାଯାଇଛି । ରେଳ କର୍ମଚାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷର ଉତ୍ପାଦଭିତ୍ତିକ ବୋନସ୍ ଶୀଘ୍ର ପ୍ରଦାନ କରାଯାଉ ବୋଲି ସଙ୍ଘ ଦାବି କରିଛି । ଏହା ସହ ମହଙ୍ଗାଭତ୍ତା ନିଷ୍ପତ୍ତିର ପୁନର୍ବିଚାର, ଏପିଏସ୍କୁ ପ୍ରତ୍ୟାହାର କରାଯାଇ ପୁରୁଣା ପେସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସଙ୍ଘ ଦାବି କରିଛି । ସେହିପରି ରେଳ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଇ ସେମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରିବା, ଭାରତୀୟ ରେଳର ଘରୋଇକରଣ ଏବଂ ନିଗମୀକରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ଟ୍ରାକ୍ ମ୍ୟାନମାନଙ୍କର ତୁରନ୍ତ ପଦୋନ୍ନତି, ଇଣ୍ଟର ଡିଭିଜନାଲ ଏବଂ ଇଣ୍ଟର ଜୋନାଲ ଟ୍ରାନ୍ସଫର ବ୍ୟବସ୍ଥା ଲାଗୁ କରିବା ଆଦି ୨୮ଟି ଦାବି କରାଯାଇଥିଲା । ସେହି କ୍ରମରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଶ୍ରମିକ କଂଗ୍ରେସ ପକ୍ଷରୁ ଏଏଫଆଇଆର୍ ଡାକରାକ୍ରମେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ତବଧାନରେ କଂଗ୍ରେସ କାର୍ଯ୍ୟାଳୟଠାରେ ବୋନସ୍ ଦିବସ ପାଳିତ ହୋଇଥିଲା । ସର୍ବଭାରତୀୟ ରେଳକର୍ମଚାରୀମାନଙ୍କୁ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍ପାଦନ ଭିଭିକ ଲାଭୀଶରୁ ବୋନସ୍ ଦେବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ନୀତିକୁ ବିରୋଧ କରାଯାଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ସମ୍ପାଦକ ଏଲ୍ ଡି ମହାନ୍ତି, ଶାଖାର ସଭାପତି ଶରତ ପଣ୍ଡା, ଉପସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ, ମାନସ ରଞ୍ଜନ ମିଶ୍ର, କୀର୍ତ୍ତି ପଟ୍ଟନାୟକ, ବାବନ ଘଡ଼େଇ, ତାରକେଶ୍ବର ରାଓ, ତ୍ରିନାଥ ଶବର, ମଧୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ ଏହାକୁ କଳାଦିବସ ଭାବେ ମଧ୍ୟ ପାଳନ କରାଯାଇଥିଲା । କଳାଦିବସରେ ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନ, ରେଳପଥ ଶ୍ରମିକ କଂଗ୍ରେସ ଏବଂ ସର୍ବଭାରତୀୟ ରେଲୱେ ମେନ୍ସ ଫେଡେରେସନ ପ୍ରଭୃତି ଯୋଗଦେଇଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।



