
ଜଟଣୀ,୧୫/୧୦(ଜିଲ୍ଲା ଖବର) : ଜଟଣୀ ପୌରାଳ ଅଧିନସ୍ଥ ବିଭିନ୍ନ ୱାର୍ଡର ରାସ୍ତାକଡରେ ଚାଲିଛି ବେଆଇନ ବାଲି, ଚିଫ୍ସ ଇତ୍ୟାଦି ବ୍ୟବସାୟ । ଏହି ବ୍ୟବସାୟରେ ପୌରପରିଷଦର ରାଜକୋଷକୁ କୌଣସି ଅର୍ଥ ଆସୁନଥିବା ବେଳେ ଏଥିରେ ମାଲାମାଲ ହେଉଛନ୍ତି ମାଫିଆମାନେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୁଖ୍ୟ ରାସ୍ତାକଡରେ ଟ୍ରକ ଟ୍ରକ ବାଲି ଜମାକରି ଖୁଚୁରା ଦରରେ ମାଫିଆମାନେ ବିକ୍ରୀ କରୁଥିବା ଅଭିଯୋଗ ହେଉଛି । ବାଲି, ଚିଫ୍ସ ଜମାହେବା ଫଳରେ ରାସ୍ତାରେ ଯାଉଥିବା ପଥଚାରୀ ଏବଂ ଗାଡି ଚାଳକମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ବର୍ଷ ବର୍ଷରୁ ଅଭିଯୋଗ ହେଉଥିଲେ ମଧ୍ୟ ପୌରପ୍ରଶାସନ ସବୁଜାଣି ନଜାଣିବା ଅଭିନୟ କରୁଛନ୍ତି । କିଛି ପ୍ରଭାବଶାଳିବ୍ୟକ୍ତିମାନେ ଏହି ବେଆଇନ ବାଲି ଓ ଚିଫ୍ସ ,ଇଟା ମୂଖ୍ୟରାସ୍ତା ଉପରେ ରଖି ବ୍ୟବସାୟ କରୁଥିବା ନେଇ ପୌରକାର୍ଯ୍ୟାଳୟରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ସ୍ଥାନୀୟ ହରିଭାଇନା ଛକଠାରେ କେତେକ ଏହି ବ୍ୟବସାୟୀମାନେ ଟ୍ରାକ୍ଟର ମାଧ୍ୟମରେ ରାସ୍ତାକଡରେ ରଖି ବିକ୍ରୀ କରୁଥିବା ବେଳେ ପୁଲିସର ବାରଣପରେ ଏହା ବନ୍ଦ ହୋଇଯାଇଥିଲା । ଏବେ ଦିର୍ଘଦିନଠାରୁ କେତେକ ବ୍ୟବସାୟୀମାନେ ମୂଖ୍ୟରାସ୍ତା କଡରେ ରଖି ବ୍ୟବସାୟ କରୁଛନ୍ତି । ଫଳରେ ରାସ୍ତା ସଂକୋଚିତ ହେବା ଦ୍ବାରା ଦୁର୍ଘଟଣାମାନ ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏଥି ସହିତ ଅଭିଯୋଗକଲେ ସେମାନଙ୍କୁ ଧମକ ଦିଆଯାଉଥିବା କହିଛନ୍ତି । ଅନ୍ୟ ପକ୍ଷରେ ଏହି ବେଆଇନ ବାଲି, ଚିଫ୍ସ ପ୍ରଭୃତିକୁ ଆଣି ଲୋକମାନଙ୍କୁ ଚଢ଼ାଦରରେ ବିକ୍ରୀ ମଧ୍ୟ କରୁଥିବା ସୂଚନା ମିଳୁଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟିଦେଇ ବେଆଇନ ବାଲି ଓ ଚିଫ୍ସ ବ୍ୟବସାୟକୁ ରୋକିବାକୁ ଦାବି ହୋଇଛି ।
ରିପୋର୍ଟ ସଞ୍ଜୀବ କୁମାର ।




