Sunday, November 15, 2026
Home ଆଞ୍ଚଳିକ କେବେ ଖୋଲିବ ଆହାରକେନ୍ଦ୍ର ? ଅନେଇ ବସିଛନ୍ତି ଦିନମଜୁରିଆ ଠାରୁ ଆରମ୍ଭ କରି ଗରିବ...

କେବେ ଖୋଲିବ ଆହାରକେନ୍ଦ୍ର ? ଅନେଇ ବସିଛନ୍ତି ଦିନମଜୁରିଆ ଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକେ

33

ଛତ୍ରପୁର,୫/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ରେ ଥିବା ଆହାର କେନ୍ଦ୍ର କେବେ ଖୋଲିବ ଅନେଇ ବସିଛନ୍ତି ଶ୍ରମିକ ଏବଂ ନିହାତି ଗରିବ, ଅସହାୟ ଶ୍ରେଣୀ ଲୋକମାନେ l ମାର୍ଚ୍ଚ ମାସରୁ ଆହାର କେନ୍ଦ୍ରରେ ତାଲା ଝୁଲୁଛି । ୬ ମାସରୁ ଅଧିକ ସମୟ ହେବ ବନ୍ଦ ରହିଛି ଭୋକିଲାଙ୍କୁ ଖାଦ୍ୟ ଯୋଗାଉଥିବା ଆହାରକେନ୍ଦ୍ର । ଆହାର ଯୋଜନା ଆରମ୍ଭ ହେବା ଦିନଠୁ ଏହା ଗରିବ,ଶ୍ରମିକ ଓ ଭୋକିଲାଙ୍କ ପାଇଁ ବରଦାନ ସଦୃଶ ହୋଇଆସିଛି । ୫ଟଙ୍କା ଦେଇ ପେଟକୁ ଦିମୁଠା ଭାତ ଡାଲମା ଖାଉଥିଲେ ଅସହାୟ ଲୋକେ । ଅଭାବୀ ଖଟିଖିଆ ଓ ଅନାହାରରେ ରହୁଥିବା ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଏହି ଯୋଜନାକୁ ଆରମ୍ଭ କରିଥିଲେ ରାଜ୍ୟ ସରକାର ।
ମହାମାରୀ କରୋନା ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତିକୁ ବିଗାଡିଦେଇଛି । ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଖଟିଖିଆ ଦିନମଜୁରିଆ । ସରକାରୀ ରିଲିଫ୍ ସହାୟତା ପାଇ କଷ୍ଟେମଷ୍ଟେ କିଛିଦିନ କାଟିଲେ । ଏବେ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଦିନେଅଧେ କାମଧନ୍ଦା ମିଳୁଛି,ହେଲେ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି । ଅନ୍ୟପଟେ ବଢୁଥିବା ପରିବା ଦର ସେମାନଙ୍କ ନିଦ ହଜାଇ ଦେଇଛି ।
୫ଟଙ୍କିଆ ଆହାର ଖାଇ ଦିନେଅଧେ ସେମାନଙ୍କ କାମ ଚଳିଯାଉଥିଲା । କିନ୍ତୁ ବହୁଦିନ ଧରି ଖୋଲୁନାହିଁ ଆହାରକେନ୍ଦ୍ର । ଦୋକାନବଜାର,ସପିଂମଲ ଖୋଲୁଥିବା ବେଳେ ଆହାରକେନ୍ଦ୍ର କାହିଁକି ଖୋଲାଯାଇପାରିବନି ବୋଲି ପ୍ରଶ୍ନ କରୁଛନ୍ତି ଗରିବ ଲୋକେ । ଜୀବନଜୀବିକା ସ୍ୱାଭାବିକ ହେଉଥିବା ବେଳେ ଏହାକୁ ବାଦ ଦିଆଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିନ ମଜୁରିଆ । ଅନଲକ-୫ରେ ସବୁ ଖୋଲିଥିବା ବେଳେ ଆହାରକେନ୍ଦ୍ରକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । ଅପରପକ୍ଷରେ ଛତ୍ରପୁର ରେ ଆହାର କେନ୍ଦ୍ର ତୁରନ୍ତ ଖୋଲିବାକୁ ଦାବୀ କରିଛନ୍ତି ସିପିଆଇପାର୍ଟି ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ l ସେ କହିଛନ୍ତି ଜିଲ୍ଲାର ସଦରମହକୁମା ଛତ୍ରପୁର ହୋଇଥିବା ରୁ ଏଠାରେ ଜିଲ୍ଲାପାଳ ଙ୍କ ଅଫିସ ଆରମ୍ଭ କରି ସମସ୍ତ ଅଫିସ ରହିଛି l ତେଣୁ ନିହାତି ଗରିବ ଶ୍ରେଣୀ ର ଲୋକମାନେ କିଛି ନା କିଛି କାମ ନିମନ୍ତେ ଛତ୍ରପୁର ଆସିଥାନ୍ତି l ଭୋକ ହେଲେ ପାଞ୍ଚ ଟଙ୍କା ଆହାର କେନ୍ଦ୍ର ରେ ଖାଉଥିଲେ l ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବହୁ ମାସ ଧରି ବନ୍ଦ ରହିଛି l ତେଣୁ ରିକ୍ସା ଚାଳକ ଠାରୁ ଆରମ୍ଭ କରି ଶ୍ରମିକ ଏବଂ ନିହାତି ଗରିବ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ ଏହି କେନ୍ଦ୍ର ର ତୁରନ୍ତ ଖୋଲିବା ବ୍ୟବସ୍ଥା କରିଲେ ଲୋକେ ସୁବିଧା ପାଇପାରିବେ l ସେହିପରି ଚାଷୀ ନେତା ସିମାଞ୍ଚଳ ନାହାକ ମଧ୍ୟ ଅନୁରୂପ ଦାବୀ କରିଛନ୍ତି l ତୁରନ୍ତ ଆହାର କେନ୍ଦ୍ର ଖୋଲା ନ କଲେ ଆଗାମୀ ଦିନରେ ଗରିବ, ଅସହାୟ ଲୋକଙ୍କ ସ୍ୱାର୍ଥ ପାଇଁ ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବ l

ରିପୋର୍ଟ କିଶୋର ଚନ୍ଦ୍ର ମହାନ୍ତି ।