
ଭଞ୍ଜନଗର/ସୋରଡା,୧/୧୦( ଜିଲ୍ଲା ଖବର) : ଗଂଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏମ୍ ଡ଼ି ଏସ ଟିମର ନେତୃତ୍ୱରେ ସୋରଡ଼ା ଥାନା ଇଲାକାରେ ୪.୧୩୪ କିଲେ। ଗଞ୍ଜେଇ ଜବତ କରାଯାଇଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଏକ ପଲସର ବାଇକ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ଏକ ବାଇକ ଯୋଗେ ଦୁଇଜଣ ଯୁବକ ଏକ ବ୍ୟାଗରେ ଗଞ୍ଜେଇ ଭର୍ତି କରି ଚୋରା ଚାଲାଣ କରୁଥିବା ବେଳେ ସୋରଡା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ସୋରଡ଼ା ତହସିଲଦାର ତଥା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ମିଶ୍ର ଙ୍କ ଉପସ୍ଥିତରେ ୨ଜଣଙ୍କୁ ଠାରୁ ଗଞ୍ଜେଇ ଓ ବାଇକ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ଅଭିଯାନରେ ଏମ୍ ଡ଼ି ଏସ ଟିମ , ସୋରଡ଼ା ଅବକାରୀ ଓଆଇସି ମୋହନ ପ୍ରଧାନ , ସୋରଡା ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ହୋଇଥିଲେ ।


