
ବାଲିଗୁଡ଼ା,୩୦/୯(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ପ୍ରମେୟ ଖବର କାଗଜ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପାଢୀଙ୍କର କାଲି ଭୁବନଶ୍ୱେର କିମସ କୋଭିଡ କେୟାର ହସପିଟାଲରେ ଦେହାନ୍ତ ଘଟିଛି । କାଲି ସକାଳ ପ୍ରାୟ ୭ ଟାରେ ତାଙ୍କର ଦେହାନ୍ତ ହୋଇଥିବାର କିମସ ହସପିଟାଲରୁ ଖବର ଆସିବା ପରେ ତାଙ୍କ ପରିବାର ଓ ଗଣମାଧ୍ୟମ ପ୍ରତିନିଧି ମହଲରେ ଶୋକର ଛାୟା ଖେଳିଯାଇଛି | ଗତ ୨୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଫୁଲବାଣୀ କୋଭିଡ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ପରୀକ୍ଷା କରାଯିବାପରେ ସେ କୋଭିଡ ପଜିଟିଭ ଭାବରେ ଚିହ୍ନଟ ହୋଇଥିଲେ । ୪ଦିନ ପରେ ସେଠାରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଭୁବନେଶ୍ୱର କିମସ ହସପିଟାଲକୁ ୨୮ ତାରିଖ ଅପରାହ୍ନରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ କାଲି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଶ୍ରୀ ପାଢୀ ଗତ ପ୍ରାୟ ଦେଢ ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ପ୍ରମେୟ ର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ । ସମାଜରେ ସେ ଜଣେ ମେଳାପି,ମିଷ୍ଟଭାଷି ଓ ସମାଜସେବୀ ବ୍ୟକ୍ତି ଭାବରେ କନ୍ଧମାଳ ଜିଲ୍ଲାରେ ସୁପରିଚିତ ହୋଇ ପାରିଥିଲେ । ତାଙ୍କର ଦୁଇ ଝିଅଙ୍କ ସମେତ ତାଙ୍କ ପତ୍ନୀ ଅଛନ୍ତି । ତାଙ୍କର ବଡ ଝିଅ ଯୁକ୍ତ ୩ରେ ପଢୁଥିବାବେଳେ ସାନ ଝିଅ ହାଇସ୍କୁଲ ପାଠପଢା ଶେଷ କରିଛନ୍ତି । ଏହି ଅକାଳ ବିୟୋଗରେ ତାଙ୍କ ପରିବାର ଓ ସମଗ୍ର ଫୁଲବାଣୀ ଅଂଚଳରେ ଶୋକରଛାୟା ଖେଳିଯାଇଛି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



