
ଜଗନ୍ନାଥ ପ୍ରସାଦ,୩୦/୮(ଜିଲ୍ଲା ଖବର): କରୋନା ମହାମାରୀ ଭଳି କଠିନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ ନୀତି ଆପଣାଇ ଜନଗଣଙ୍କ ରୋଜଗାରକୁ ଧ୍ବଂସ କରୁଥିବା ଯୋଗୁଁ ସି.ପି.ଆଇ(ଏମ-ଏଲ) ରେଡ଼ ଷ୍ଟାର ଓଡିଶା ରାଜ୍ୟ କମିଟି ପକ୍ଷରୁ ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରସ୍ତୁତ କରି ସେପ୍ଟେମ୍ବର ୦୧ ରାଜ୍ୟବ୍ୟାପୀ ପ୍ରତିବାଦ ଆହ୍ବାନ ଦେଇଛି । ଏହାକୁ ସଫଳ କରିବାକୁ ସି.ପି.ଆଇ (ଏମ୍-ଏଲ) ରେଡଷ୍ଟାରର ବରିଷ୍ଠ ଆଦିବାସୀ ନେତା ପୂର୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରସାଦ ର ଲଙ୍କାଗଡ଼ ଠାରେ ଆଦିବାସୀ ମାନଙ୍କ ବୈଠକ ବସି ରାଜ୍ୟବ୍ୟାପୀ ପ୍ରତିବାଦ କୁ ସଫଳ କରିବା ପାଇଁ ଗାଁ ଗାଁ ରେ ବୈଠକ କରି ସଚେତନତା ସୃଷ୍ଟି କରିବା ଏବଂ ଆସନ୍ତା ୦୧ ସେପ୍ଟେମ୍ବର ୨୦୨୦ ରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକ ରେ ସି.ପି.ଆଇ(ଏମ୍ ଏଲ୍ )ରେଡଷ୍ଟାରର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଯୋଗଦେଇ କୃଷକ ଓ ଆଦିବାସୀ ଭାରତ ନୀତି କୁ ତୀବ୍ର ଭର୍ସନା କରିଥିଲେ । ଯେଉଁ ସମୟରେ ଜନଗଣଙ୍କ ପାଇଁ ରୋଜଗାର, ଶିକ୍ଷା, ସ୍ବାସ୍ଥ୍ୟସେବା ଓ ବାସଗୃହ ପାଇଁ ସରକାର ଚିନ୍ତା କରିବା କଥା ସମୟରେ ଆଦିବାସୀଙ୍କ ଜମି ହଡ଼ପ ନୀତି ପ୍ରସ୍ତୁତ ହେଉଛି ଏବଂ ଅନ୍ନଦାତାଙ୍କ ଜୀବନ ଓ ଜୀବିକାର ଗ୍ୟାରେଣ୍ଟି ନେବା ବଦଳରେ କୃଷକ ବିରୋଧୀ ଅଧ୍ୟାଦେଶ ଓ ଶ୍ରମିକ ମାରଣ ନୀତି, ଅନଲାଇନ ଶିକ୍ଷାକୁ ଗୁରୁତ୍ବ ଦେଇ ନୂତନ ଶିକ୍ଷା ନୀତି ଯାହା ଆମ ସାଧାରଣ ଶ୍ରମଜୀବୀଙ୍କ ଭବିଷ୍ୟତ କୁ ଧ୍ବଂସ କରିଦେବ । ଜଙ୍ଗଲ, ଜମି, ଫସଲ ହଡ଼ପ କରିବା ସହ ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସେଥିପାଇଁ ୧୮ ଦଫା ଦାବିକୁ ହାସଲ କରିବା ପାଇଁ ପ୍ରତିବାଦକୁ ସଫଳ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ । ରାଜ୍ୟର ସମସ୍ତ ଶ୍ରମିକ, କୃଷକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ, ଶିଳ୍ପ ଶ୍ରମିକ, ସଙ୍ଗଠିତ କ୍ଷେତ୍ର ଓ ଅସଙ୍ଗଠିତ କ୍ଷେତ୍ର ଶ୍ରମିକ, ଛାତ୍ର, ଯୁବକ, ମହିଳା, ସମସ୍ତ ଶୋଷିତ ନିଷ୍ପେସିତ ବର୍ଗର ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ସମସ୍ତ ଜନଗଣ ଭିନ୍ନ ଭିନ୍ନ ରୂପରେ ଏହି ଦାବୀକୁ ନେଇ ପ୍ରତିବାଦ କରିବା ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଚୈତନ୍ୟ ପ୍ରଧାନ, କାର୍ତ୍ତିକ ପ୍ରଧାନ, ପଞ୍ଚାନନ ପ୍ରଧାନ ଆଦି ଯୋଗଦେଇ ଥିଲେ ।
ରିପୋର୍ଟ-ନିରାକାର ସାହୁ


