
ଜଟଣୀ,୨୭/୦୮{ଜିଲ୍ଲା ଖବର}ରାଜଧାନୀ ଭୁବନେଶ୍ବର ଉପଖଣ୍ଡ ଅଧିନସ୍ଥ ବ୍ୟବସାୟିକ ସହର ଜଟଣୀକୁ ଦୀର୍ଘ ଦିନର ଦାବିପରେ ଚଳିତ ମାସରେ ୮ଜଣ ଟ୍ରାଫିକ ପୁଲିସକୁ କମିଶନରେଟ ପୁଲିସ ନିୟୋଜିତ କରିଛି। ହେଲେ ନିୟୋଜିତ ଏହି ଟ୍ରାଫିକ ପୁଲିସ କନେଷ୍ଟବଳମାନେ ଟ୍ରାଫିକ ନିୟନ୍ତ୍ରଣ ଛାଡି ମୋବାଇଲ ଫୋନରେ ବ୍ୟସ୍ତ।ଜଟଣୀ ଏକ ବ୍ୟବସାୟିକ ସହର ଏବଂ ପୁର୍ବତଟର ପ୍ରମୁଖ ରେଳ ଜଙ୍କସନ ମଧ୍ୟ ଏଥି ସହିତ ଏଠାରେ ହାଇସର, ଆଇଆଇଟି, ଫାଟୁଆ ଗବେଷଣା କେନ୍ଦ୍ର,ବୈଷୟିକ ସଂସ୍ଥା ଓ ଅନ୍ଧ ମୁକ ବଧୀରମାନଙ୍କ ପାଇଁ ଦକ୍ଷତା ବିକାଶଭଳି ଅନେକ କେନ୍ଦ୍ରୀୟ ସଂସ୍ଥା ରହିଛି। ତେଣୁ ଏଠାକୁ ପ୍ରତିଦିନ ଶହଶହ କର୍ମଚାରୀ, ଅଫିସର, ଛାତ୍ରଛାତ୍ରୀମାନେ ଯାତାୟତ କରିଥାନ୍ତି। ତେବେ ଏହି କ୍ରମରେ ବ୍ୟବସାୟିକ ସହରର ମୁଖ୍ୟ ଛକ ହରିଭାଇନା ଛକ,ସୀତାରାମ ଛକ,ମହୁଲଗୁଡିଆ ଛକ ଓ ରାଜାବଜାର ପ୍ରଭୃତିରେ ପ୍ରତିଦିନ ଜନଗହଳି ଲାଗି ରହିଥାଏ। ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ବେଳେ ଦୁର୍ଘଟଣା ଘଟାଉଥିବା ଲୋକେ ଟ୍ରାଫିକ ନଥିବା ହେତୁ ଆରାମରେ ଖସି ପଳାଇବାରେ ସକ୍ଷମ ହୋଉଛନ୍ତି। ତେଣୁ ଏହିସବୁ ଘଟଣାକୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ନିକଟରେ ଜଟଣୀବାସୀ ଦୀର୍ଘ ଦିନରୁ ଟ୍ରାଫିକ ପୁଲିସ ମୁତୟନ କରିବାକୁ ଦାବି କରିଆସୁଛନ୍ତି। ଏପରିକି ଜଟଣୀର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ରାଜନୈତିକ ଦଳର ନେତାମାନେ ମଧ୍ୟ ବାରମ୍ବାର ଦାବି କରିଆସୁଥିଲେ।ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାଲାଗି ପ୍ରତିବର୍ଷ ଟ୍ରାଫିକ ପୁଲିସ ନିୟୋଜିତ କରିବାପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦେଇ ଆସୁଥିଲେ ହେଲେ ଏହାକୁ କେବେ ହେଲେ କାର୍ଯ୍ୟକାରୀ କରୁନଥିଲେ। ତେବେ ୨୦୧୯ ମସିହାରେ ଜଟଣୀ ପ୍ରସିଦ୍ଧ ଗଣେଶ ପୂଜାଲାଗି ସ୍ଥାନୀୟ ଉତରାୟଣୀ କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ଭୁବନେଶ୍ୱର କମିଶନରେଟ ପୁଲିସର ତତ୍କାଳିନ ଡିସିପି ଅନୁପ ସାହୁ ଯୋଗଦେଇଥିଲେ। ନିଜ ବକ୍ତବ୍ୟ ମାଧ୍ୟମରେ ଜଟଣୀବାସୀ ଏବଂ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ଦେଇ କହିଥିଲେ ଯେ, ୨୦୧୯ ଡିସେମ୍ବର ସୁଦ୍ଧା ଜଟଣୀରେ ଟ୍ରାଫିକ ପୁଲିସ କାର୍ଯ୍ୟ କରୁଥିବେ। ମାତ୍ର ଏହା କାର୍ଯ୍ୟକାରୀ ହେଲା ନାହିଁ ବରଂ ଦୀର୍ଘ ଦିନର ଅପେକ୍ଷା ପରେ ୨୦୨୦ ମସିହା ଜୁଲାଇ ମାସରେ ଜଟଣୀର ହରିଭାଇନା ଛକରେ ୨ ସିପ୍ଟରେ ୪ ଜଣ ଓ ସମୟାନୁକ୍ରମେ ଜାତୀୟ ରାଜପଥର ଜାଂଳା ତଥା ତଳଖେତା ଛକଠାରେ ୪ ଜଣ ଟ୍ରାଫିକ ପୁଲିସ କାର୍ଯ୍ୟରେ ଯୋଗଦେଇଛନ୍ତି। ହେଲେ ଯାନବାହନ ନିୟନ୍ତ୍ରଣ କରିବାକୁ ରହିଥିବା ଏହି ଟ୍ରାଫିକ ପୁଲିସ ଟ୍ରାଫିକ ନିୟନ୍ତ୍ରଣ ଛାଡି ମୋବାଇଲ ଚଳାଇବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ୮ଘଣ୍ଟା ଡ୍ୟୁଟି କରୁଥିବା ଏହି ଟ୍ରାଫିକ ପୁଲିସମାନେ ଆଦୌ ଯାନବାହନ ଉପରେ ନଜର ରଖନ୍ତି ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଅସାମାଜିକ ଯୁବକମାନେ ଦ୍ରୁତ ଗତିରେ ଗାଡି ଚଳାଉଥିଲେ ମଧ୍ୟ ସେମାନଙ୍କୁ ଅଟକ କିମ୍ବା ତାଗିଦ କରୁନାହାନ୍ତି।କେତେକ ଅସାମାଜିକ ବ୍ୟକ୍ତି ନିଶା ସେବନକରି ନିୟନ୍ତ୍ରଣ ହରାଇ ଗାଡି ଚଳାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଲୋକମାନେ ଟ୍ରାଫିକ ନିୟମ ଏବଂ ପୁଲିସର କାର୍ଯ୍ୟ କଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ତେବେ ଏଠାରେ କେଉଁ ଉଦ୍ଦେଶ୍ୟରେ ଟ୍ରାଫିକ ପୁଲିସ ନିୟୋଜିତ କରାଗଲା। ଅଯଥାରେ ତ୍ରୁଟି ନାମରେ ଅର୍ଥଲୁଟ କରୁଛନ୍ତି ବୋଲି ଅନେକ ମତ ଦେଇଛନ୍ତି।
ରିପୋର୍ଟ ସଞ୍ଜୀବ କୁମାର



