Home ଆଞ୍ଚଳିକ ଜଟଣୀରେ ସର୍ବାଧିକ ବର୍ଷା ରେକର୍ଡ, ଜନଜୀବନ ଅସ୍ତବ୍ୟସ୍ତ।

ଜଟଣୀରେ ସର୍ବାଧିକ ବର୍ଷା ରେକର୍ଡ, ଜନଜୀବନ ଅସ୍ତବ୍ୟସ୍ତ।

13

ଜଟଣୀ,୨୬/୦୮{ଜିଲ୍ଲା ଖବର} ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଓ ବୁଧବାର ଅଧିକ ଘନୀଭୂତ ହୋଇଛି। ଲଘୁଚାପ ଯୋଗୁଁ ସୋମବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି କ୍ରମରେ ଆଜି ଝଡ ପବନ ବହିବା ସହିତ ଦିନରାତି ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ସୁଚନାନୁଯାୟୀ ଜିଲ୍ଲାର ମୋଟ ୬୦୬.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହି ଲଗାଣ ବର୍ଷାର ସ୍ତର ଜଟଣୀ ବ୍ଲକରେ ସର୍ବାଧିକ ୯୦ ଏବଂ ବାଣପୁର ବ୍ଲକରେ ସର୍ବନିମ୍ନ ୧୯ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଗତ ଦୁଇଦିନରୁ ଲାଗି ରହିଥିବା ଏହି ଲଗାଣ ବର୍ଷା ବିତ୍ପାତରେ ଜଟଣୀ ଓ ଏହାର ଆଖପାଖ ଅଂଚଳରେ ବ୍ୟବସାୟ ପ୍ରତିଷ୍ଠାନ ଓ ଗମନାଗମନ ସହିତ ଲୋକମାନଙ୍କ ଚଳଣିରେ ସମସ୍ୟା ସୃଷ୍ଟି ହେଲାଣି। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ପଦାକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯାଉଛି। ଅନ୍ୟ ପଟେ ବ୍ୟବସାୟ ବନ୍ଦ କାରଣରୁ ଅନେକ ପରିବାରରେ ଦୁଃଖ ଦେଖାଦେଲାଣି। ମାତ୍ର ଏହା ସାଙ୍ଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ସବୁ ବର୍ଗର ଲୋକମାନଙ୍କର ମେରୁଦଣ୍ଡ ଭାଙ୍ଗିପଡିଛି। ଜଟଣୀ ସହରର ମୁଖ୍ୟ ବଜାର କୁହାଯାଉଥିବା ସୀତାରାମ ଛକ, ରାଜା ବଜାର ହରିଭାଇନା ଛକ, ନୀଳଚକୁ ମାର୍କେଟ,ବଡ଼ବଜାର ପ୍ରଭୃତିରେ ଶନିବାର ଓ ରବିବାର ଲକଡାଉନ୍ ନେଇ ଦୁଇଦିନ ବନ୍ଦ ହେବାପରେ ସୋମବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁଣି ୩ଦିନ ବ୍ୟାପୀ ଦୋକାନବଜାର ବନ୍ଦ ରହିଥିଲା। ବୃତ୍ତି ବଦଳାଇ ଦେଇଥିବା ଲୋକମାନଙ୍କ ସମସ୍ୟା ଏହି ଲଗାଣ ବର୍ଷାଯୋଗୁଁ ଦ୍ବିଗୁଣିତ ହୋଇଛି। ଅଟୋରିକ୍ସା ଚଳାଉଥିବା ଲୋକେ ଏବେ ଘରଘର ବୁଲି ମସଲା ବ୍ୟବସାୟ ଆରମ୍ଭ କରିଥିବା ବେଳେ ସ୍କୁଲ କଲେଜ ବନ୍ଦ ଯୋଗୁଁ ଶିକ୍ଷକତା କରୁଥିବା ଲୋକମାନେ ଏବେ ବେସାହାରା ହୋଇ ସମସ୍ୟାରେ ପଡ଼ିଛନ୍ତି। ମହାମାରୀ କରୋନାର ଏହି କରାଳରୁପ ପରେ ଏବେ ଲଘୁଚାପ ବର୍ଷା ସେମାନଙ୍କୁ ଅଣାୟତ କରିଲାଣି। ଲଗାଣ ବର୍ଷାର ପ୍ରଭାବରେ ବେଣାପଙ୍କରୀ ପଞ୍ଚାୟତର ପାଣ୍ଡିଆବିଲି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବେଳେ ସୋମବାରଠାରୁ ଜଟଣୀ କୁଦିଆରୀ
ବଜାରରେ ଥିବା ପିପିଲି-ଖୋର୍ଦ୍ଧା ମୁଖ୍ୟ ରାସ୍ତାର ଜଟଣୀ ଭୂତଳରାସ୍ତା ବର୍ଷା ଜଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ଯାତାୟତ ଠପ୍ ହୋଇଯାଇଥିଲା। ସେହିପରି ଜଟଣୀ ପୌରପରିଷଦ ଅଧିନସ୍ଥ ୨୩ଟି ୱାର୍ଡ ମଧ୍ୟରୁ ରେଳପଥ ଅଞ୍ଚଳରେ ଥିବା ୫ଟି ୱାର୍ଡ ବ୍ୟତୀତ ଅନେକ ଅଞ୍ଚଳରେ ରହିଥିବା ଟ୍ରେନରେ ନର୍ଦ୍ଦମାଜଳ ନିଷ୍କାସନ ହୋଇନପାରି ମୁଖ୍ୟ ରାସ୍ତାରେ ଲହଡି ମାରୁଛି। ଫଳରେ କରୋନା ସଂକ୍ରମଣକୁ ଅନ୍ୟଥାରେ ଆମନ୍ତ୍ରଣ ବୋଲି ସ୍ଥାନୀୟ ଲୋକେ କ୍ଷୋଭପ୍ରକାଶ କରି କହିଛନ୍ତି। ଜଟଣୀର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଅନେକ ଭୂମିହୀନମାନଙ୍କ ଝୁମ୍ପୁଡି ଘରେ ପରିବାର ସହ ବଡ କଷ୍ଟଦାୟକ ଭାବେ ରହିଥିବା ଦେଖିବାକୁ ମିଳିଛି। କେବଳ ସରକାରଙ୍କ ପକ୍ଷରୁ ମିଳିଥିବା ଚାଉଳ,ଗହମ ଇତ୍ୟାଦି ସେମାନଙ୍କ ଜୀବନ ବଞ୍ଚାଇ ରଖିଛି ବୋଲି କହିଛନ୍ତି ଅନେକ ଗରିବ ପରିବାର। ତେବେ ଏହି ଲଗାଣ ବର୍ଷା ଯୋଗୁଁ ଅନେକ ଚିନ୍ତାରେ ପ୍ରାଣ ହରାଇବେ ବୋଲି ସାଧାରଣରେ ଆଲୋଚନା ହେଉଛି।

ରିପୋର୍ଟ ସଞ୍ଜୀବ କୁମାର