
କେନ୍ଦ୍ରାପଡ଼ା,୨୪/୭(ଜିଲ୍ଲା ଖବର): କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୧୯ ରାଉଣ୍ଡର ଗଣତି ପରେ ଏହି ଫଳାଫଳ ମିଳିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇ ନ ଥିଲେ ହେଁ ବିଜେଡି ପାଟକୁରାରେ ବିଜୟଲାଭ କରିଥିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳିଯାଇଛି। ସାବିତ୍ରୀ ଏବଂ ତାଙ୍କ ସମର୍ଥକମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଛନ୍ତି।
ବୁଧବାର ସକାଳୁ ପାଟକୁରା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିଲା। ୧୯ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ମୋଟ ୯୬୦୧୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୭୮,୦୯୭ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୧୦୪ ଖଣ୍ଡ ଭୋଟ ପାଇଛନ୍ତି।



