
ଜଟଣୀ,୧୯/୦୮{ଜିଲ୍ଲା ଖବର} ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି। ଭୁବନେଶ୍ଵର ସବଡିଭିଜନ ଜଟଣୀ ବ୍ଲକ ଅଧିନସ୍ଥ ବେଣାପଙ୍ଗରୀ ଅଞ୍ଚଳରେ ଥିବା ଦୟା ଓ ରାଜୁଆ ନଦୀର ସଙ୍ଗମ ସ୍ଥଳରେ ବର୍ଷର ପ୍ରାୟ ୫ମାସ ପର୍ଯ୍ୟନ୍ତ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାଏ।ଜଟଣୀ ବ୍ଲକ ଅଧିନସ୍ଥ ବେଣାପଙ୍କରୀ ପଞ୍ଚାୟତର ବୁଢାଙ୍ଗରା,ବିପିପୁର,ପାଣ୍ଡିଆବିଲି,ନୂଆସାହି,ବୈଶମପାଟଣା,ମାତାସାହି,ନୂଆପାଟଣା,ଗୋଡିପାଟଣା,ସୁନ୍ଦରାସାହି,ମାନପୁର ଆଦି ଗ୍ରାମର ଯାତାୟତ ପାଇଁ ଗୋଟିଏ ମାତ୍ର ରାସ୍ତା ହେଉଛି ଦୟା ଓ ରାଜୁଆ ନଦୀର ସଙ୍ଗମ ସ୍ଥଳ। ପ୍ରତିଦିନ ଏହି ରାସ୍ତା ଦେଇ ୧୦ଟି ଗ୍ରାମର ପାଖାପାଖି ହଜାର ହଜାର ଲୋକ ଏହି ନଦୀ ପାର ହୋଇ ଜଟଣୀ, ଭୁବନେଶ୍ଵର,ଖୋର୍ଦ୍ଧା, ପିପିଲି,ନିମାପଡା,ପୁରୀ ସହରକୁ ଯାଇଥାନ୍ତି। ବର୍ଷା ହେଲେ ଏହି ଗ୍ରାମବାସୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥାଏ। ଏହି ଭଳି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଥିଲେ ଉକ୍ତ ଅଞ୍ଚଳର ଗ୍ରାମବାସୀ । ତେବେ ଏନେଇ ଜଟଣୀ ବ୍ଲକ ପକ୍ଷରୁ ଏକ ବୋଟର ବ୍ୟବସ୍ଥା କରାଯାଇଥିଲା। ସରକାର ବୋଟ୍ ର ବ୍ୟବସ୍ଥା କରିଥିଲେ ସତ କିନ୍ତୁ ଏହାର ଚାଳକ ନିୟୋଜିତ ନ କରିବାରୁ ଏହା ଚଳାଚଳ କରିବା ଅସମ୍ଭବ ହୋଇପଡିଥିଲା।ବୋଟ୍ ଟି ଆଜି ପର୍ଯ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହିଁ। ତେବେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଘରପିଛା ୨୦୦ଟଙ୍କା ଆଦାୟ କରି ଡଙ୍ଗା କିଣି ଯିବା ଆସିବାର ବ୍ୟବସ୍ଥା କରିଥିଲେ। ଏଥି ସହିତ ଗ୍ରାମବାସୀ ନିଜେ ସାଜିଛନ୍ତି ଚାଳକ ।ଏଥିପାଇଁ ଗ୍ରାମ୍ୟ ଫଣ୍ଡ୍ କୁ ୨୦୦ଟଙ୍କା ଲେଖାଏଁ ଦେବାକୁ ପ୍ରତିଦିନିଆ ବ୍ୟବସ୍ଥାରେ ପରିଣତ ହୋଇଛି। କିନ୍ତୁ ବର୍ତ୍ତମାନ ସେହି ଡଙ୍ଗାରେ ମରାମତି ପାଇଁ ୫୦,୦୦୦/-ଟଙ୍କା ଲେଖାଁଏ ଖର୍ଚ୍ଚ କରିବାକୁ ପଡିଛି ଗ୍ରାମବାସୀଙ୍କୁ। ଏହା ବୋଝ ଉପରେ ଲଳିତା ବିଡା ସଦୃଶ। ଏବଂ ବର୍ଷା ଦିନକୁ ବାଦ୍ ଦେଲେ ଅନ୍ୟ ଦିନଗୁଡିକରେ ଏହି ରାସ୍ତାରେ ଟେଣ୍ଡର ମାଧ୍ୟମରେ ମାଟି ପକାଇ ଯାତାୟତ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥାନ୍ତି। ଏପରିକି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷା ଋତୁରେ ଜରୁରୀକାଳୀନ ସମୟରେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନେବାରେ ବାଧା ସୃଷ୍ଟି ହେଉଛି। ତେବେ ଦେଖିବାକୁ ବାକି ରହିଲା ଏହି ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ କେତେ ତତ୍ପରତା ପ୍ରକାଶ କରୁଛି।
ରିପୋର୍ଟ ସଞ୍ଜୀବ କୁମାର



