
ସକାଳ ହେଲେ ସାରା ଭାରତ ବର୍ଷରେ ପାଳିତ ହେବ ପବିତ୍ର ସ୍ୱାଧୀନତା ଦିବସ।ଚାରିଆଡ଼େ ଉଡ଼ିଥାନ୍ତା ତ୍ରିରଙ୍ଗା ଓ ଜାତୀୟ ସଙ୍ଗୀତ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠନ୍ତା ସାରା ସହର।ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସମସ୍ତଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ ହୋଇଥାନ୍ତା। ଆବାଳ ବୃଦ୍ଧ ବନିତା ସମସ୍ତେ ବୁଲି ବୁଲି ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସକୁ ଉତ୍ସାହର ସହିତ ପାଳନ କରିଥାନ୍ତେ। କିନ୍ତୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ସକାଶେ ବାଧକ ସାଜିଛି। ସ୍ୱାଧୀନତା ଦିବସ ପାଳନ ସକାଶେ ସରକାରଙ୍କ ପକ୍ଷରୁ ବହୁ ନିୟମାବଳୀ ଘୋଷଣା କରାଯାଇଛି। କେଉଁ ସ୍ଥାନରେ କେତେ ବ୍ୟକ୍ତିଙ୍କୁ ନେଇ କିପରି ପାଳନ କରାଯିବ ସେଥିପାଇଁ ସ୍ୱତନ୍ତ୍ର ନିୟମ କରାଯାଇଛି। ଏଥିସହ ପ୍ୟାରେଡ଼ ଉପରେ କଟକଣା ଲାଗିଥିବା ବେଳେ ଜନସାଧାରଣଙ୍କୁ ମଧ୍ୟ ବାରଣ କରାଯାଇଛି। ଚଳିତ ବର୍ଷ ଏଭଳି କୋଭିଡ୍ କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ। ପ୍ରତିବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ କିଛି ସିଜନ ବ୍ୟବସାୟୀ ଭଲ ବେପାର କରି ଆସୁଥିଲେ। ଜାତୀୟ ପତାକା ଠାରୁ ଆରମ୍ଭ କରି ଷ୍ଟିକର,ବ୍ୟାଜ୍,ରିବନ, ବେଣ୍ଡ୍,ଡ୍ରେସ୍ ଭଳି ବିଭିନ୍ନ ସାମଗ୍ରୀ ବିକ୍ରି କରି ବେଶ ୨ ପଇସା ରୋଜଗାର କରୁଥିଲେ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫସି ରହିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିବାକୁ ବାରଣ କରାଯାଇଥିବାରୁ ଛୋଟ ଛୋଟ ଆକୃତିର ପତାକା ଗୁଡ଼ିକ ବିକ୍ରି ହୋଇପାରୁନି। ବିଭିନ୍ନ ସଙ୍ଗଠନ ପକ୍ଷରୁ ମିଳିତ ହୋଇ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟରେ ଏକାଠି ନହେବା ଲାଗି କଟକଣା ଜାରି କରାଯାଇଛି। ଫଳରେ ଚଳିତ ବର୍ଷ ପତାକା ବିକ୍ରି ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ଦୋକାନ ବିକ୍ରେତା କହିଛନ୍ତି।
ରିପୋର୍ଟ ରଜନୀକାନ୍ତ ପାତ୍ର


