
ହିଞ୍ଜିଳିକାଟୁ,୧୦/୦୮{ଜିଲ୍ଲା ଖବର}ଆଜିକୁ ଦୀର୍ଘ ପାଞ୍ଚମାସ ଧରି କରୋନା କବଳରେ ସାରା ଗଞ୍ଜାମ ଜିଲ୍ଲା। କୋଭିଡ୍ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ବ। ସ୍ଥାନୀୟ ହିଞ୍ଜିଳି ବ୍ଲକରେ କିପରି ରହିଛି ସ୍ଥିତି ଓ ଏହାର ମୁକାବିଲା ସହ ଅନ୍ୟାନ୍ୟ ବିଷୟରେ ଆଜି ସନ୍ଧ୍ୟା ୪.୩୦ ସମୟରେ ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ ଭିକେ ପାଣ୍ଡିୟନ୍ ଉପସ୍ଥିତି ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଭିଡିଓ କନଫ୍ରେନସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଦିନକୁ ଦିନ ଅଧିକ ପରିମାଣରେ ପରୀକ୍ଷା କରିବା ହେତୁ ସଂକ୍ରମଣ ସଂଖ୍ୟା ଦେଖିବାକୁ ମିଳୁଥିଲେ ମଧ୍ୟ ଧୀରେ ଧୀରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସୁଧରିବାରେ ଲାଗିଛି। ବଡଖଣ୍ଡି ପଞ୍ଚାୟତର ସରପଞ୍ଚ କେ.ଦୁର୍ଗା ପ୍ରସାଦ ରାଓ ନିଜେ କରୋନା ପଜିଟିଭ୍ ରହି ମଧ୍ୟ ସୁଚାର ରୂପେ ନିଜେ କାର୍ଯ୍ୟ ତୁଲାଇ ଆସୁଥିଲେ। ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଆଶୁଆରୋଗ୍ୟ କାମନା କରିବା ସହ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ବ୍ଲକର ସରପଞ୍ଚମାନେ ଯେଉଁଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣି ପାରିଛନ୍ତି,ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ। ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମେମ୍ବରଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଆଲୋଚନାରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶୀଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ହୋଇଛି। ବ୍ଲକ ଅଞ୍ଚଳର ସରପଞ୍ଚ ମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର,ସରପଞ୍ଚ ପ୍ରୀତି ସାହୁ, ତ୍ରିନାଥ ପାଣିଗ୍ରାହୀ,ଉମାଶଙ୍କର ସାବତ,ଲକ୍ଷ୍ମଣ ଗୌଡ,ଭି ରବି, ସହଦେବ ବେହେରା,ମନୋଜ ସାବତ,ସୁଧାଂଶୁ ସାହୁ,ରୋହିତ ପ୍ରଧାନ,ଏ.ସୁଦର୍ଶନ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ରଜନୀକାନ୍ତ ପାତ୍ର


