
ଖୋର୍ଦ୍ଧା,୨୮/୦୭{ଜିଲ୍ଲା ଖବର}: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ମହାମାରୀ କରୋନାର ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି। ଜଟଣୀ ସହରାଞ୍ଚଳରେ କେବଳ ୩୩ଜଣ ସଂକ୍ରମିତଙ୍କ ମଧ୍ୟରୁ ରେଳବିଭାଗର ୧୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଜଟଣୀରେ ରେଳ କର୍ମଚାରୀଙ୍କୁ ନେଇ ଚିନ୍ତାରେ ପଡ଼ିଲେଣି ଲୋକେ। କରୋନା ସମୟରେ ରେଳ ବିଭାଗ ମାଲ ପରିବହନ କରିଥିଲା। ଏହାସହିତ ଜଟଣୀର ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନକୁ ୩୯ ହଜାରୁ ଉର୍ଦ୍ଧ୍ବ ଓଡ଼ିଆ ପ୍ରବାସୀଙ୍କୁ ବିଭିନ୍ନ ରାଜ୍ୟରୁ ଆଣି ସେମାନଙ୍କ ଘରେ ପହଞ୍ଚାଇଛି। ହେଲେ ସେ ସମୟରେ ଜଟଣୀରେ କରୋନା ଖାତା ମଧ୍ୟ ଖୋଲିନଥିଲା । ମାତ୍ର ଏବେ ପ୍ରତିଦିନ କରୋନା ପଜିଟିଭ ହେଉଥିବା କୋଭିଡ୍ ହସ୍ପିଟାଲରୁ ସୂଚନା ମିଳୁଛି। ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଅଧୀନରେ ଥିବା ପଲାସା, ଖୋର୍ଦ୍ଧାରୋଡ଼,ତାଳଚେର,ଭଦ୍ରକ,ଜଖପୁରା,ପାରାଦ୍ବୀପ,ଢେଙ୍କାନାଳ,କେନ୍ଦୁଝରଗଡ଼,ଛତ୍ରପୁର ଆଦି ଷ୍ଟେସନ ଗୁଡ଼ିକରେ ମାଲବାହି ଟ୍ରେନ୍ ଚାଳକମାନେ ପରିବର୍ତ୍ତିତ ହୋଇଥାନ୍ତି। ଏମାନେ ସେଠାରେଥିବା ରନିଂରୁମରେ ବିଶ୍ରାମ ନେବାପରେ ସେଠାରେ ଉପସ୍ଥିତଥିବା ଚାଳକମାନେ ଉକ୍ତ ମାଲଗାଡ଼ିକୁ ନେଇଥାନ୍ତି। ଏହି କ୍ରମରେ ଅଦଳବଦଳ ହୋଇ ମାଲବାହି ଟ୍ରେନ୍ ଚଳାଚଳ ହୋଇଥାଏ। ସେହିପରି ଯାତ୍ରୀବାହୀ ଟ୍ରେନ୍ର ଚାଳକମାନେ ବିଶାଖାପାଟଣା,ଖଡ଼ଗପୁର, ଆନ୍ଧ୍ରା,ବଲାଙ୍ଗିର,ସମ୍ବଲପୁର ଆଦି ଷ୍ଟେସନ ଗୁଡ଼ିକରେ ବଦଳି ହୋଇଥାନ୍ତି। ସେଠାରେ ଥିବା ଅନ୍ୟ ଚାଳକମାନେ ଗାଡ଼ିନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ଏହିପରି ସମୂହଭାବେ ଟ୍ରେନ୍ ଚାଳକମାନେ ଏକତ୍ରିତ ହୋଇ ଭୋଜନ କରିବା ସହିତ ଶୌଚାଳୟ ବ୍ୟବହାର କରିବା ଏବଂ ଶୟନ ଆଦି କରୁଥିବା ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ତେଣୁ ରନିଂ ରୁମରେ କୋଭିଡ୍ ନିୟମ ପାଳନ ହେଉନଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ସେଠାରେ ସାମାଜିକ ଦୂରତ୍ବ ପାଳନ ହୋଇପାରୁନଥିବା ବେଳେ ରୁମରେ ବେଡ଼ ଓ ବାସନକୁସନ ସାମୂହିକ ବ୍ୟବହୃତ ହୋଇଥାଏ। ଅନ୍ୟପକ୍ଷରେ ରୁମର କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ରେଳକର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥାନ୍ତି ଏବଂ କର୍ମଚାରୀମାନେ ବାରମ୍ବାର ରୁମ ବାହାରକୁ ଯିବା ଆସିବା କରିଥାନ୍ତି। ରେଳଚାଳକ ଓ ସହଚାଳକମାନେ ପ୍ରତିଦିନ ବିଭିନ୍ନ ରାଜ୍ୟ ଓ ଜିଲ୍ଲାପ୍ରବେଶ କରି ଯିବା ଆସିବା କରିଥାନ୍ତି । ସେହିପରି ରେଳବିଭାଗର କ୍ୱାର୍ଟର ଅଭାବ ହେତୁ ରେଳକର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଘର ଭଡ଼ାନେଇ ରହିଥାନ୍ତି। ସେଠାରେ କୌଣସି ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେଲେ ଭଡ଼ାରେ ରହୁଥିବା ରେଳ କର୍ମଚାରୀମାନଙ୍କୁ ବ୍ୟାପୁଥିବା ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ କୋଭିଡ୍ ସମୟରେ କେତେକ କର୍ମଚାରୀ ଭୁବନେଶ୍ବର ହଟସ୍ପଟ ଅଞ୍ଚଳ ଘୋଷଣା ହୋଇଥିବା ସମୟରେ ଭୁବନେଶ୍ୱରରୁ ନିଜ କର୍ମକ୍ଷେତ୍ର ଖୋର୍ଦ୍ଧାରୋଡ଼କୁ ଆସିଥାନ୍ତି। ଯେହେତୁ ରେଳବିଭାଗ କୋଭିଡ୍ ସଚେତନାର ବାହକ ବୋଲି କୁହାଯାଉଛି। ସେଥିପାଇଁ ରେଳପଥ ବିଭାଗ ସତର୍କତା ଅବଲମ୍ବନ କରିବାକୁ କେତେକ ରେଳ କର୍ମଚାରୀମାନେ ମଧ୍ୟ ଦାବି କରିଛନ୍ତି। ତେଣୁ କରୋନା ସଂକ୍ରମଣ ବ୍ୟାପକତା କମିବା ପର୍ଯ୍ୟନ୍ତ ରନିଂ ରୁମ ବନ୍ଦରଖିବାକୁ କେତେକ ବ୍ୟକ୍ତି ସୂଚନା ଦେଇଛନ୍ତି । ମହାମାରୀ କରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରୁଥିବା ରେଳବିଭାଗ ଦ୍ବାରା କରୋନା ସଂକ୍ରମଣ ନ ବ୍ୟାପିବାପାଇଁ ରେଳବିଭାଗର ବରିଷ୍ଠ ଅଧିକାରୀ ଦୃଷ୍ଟିଦେବାକୁ ଅନୁରୋଧ କରାଯାଇଛି।
ରିପୋର୍ଟ ସଞ୍ଜୀବ କୁମାର



