
ଜଟଣୀ,୨୭/୦୭{ଜିଲ୍ଲା ଖବର}ଜଟଣୀ ପୌରପରିଷଦ ଅଧୀନ ୱାର୍ଡ ନଂ ୫ର ଗଜପତି ନଗରରେ ଜଣେ ଅସହାୟ ବୃଦ୍ଧା ଦୀର୍ଘଦିନ ହେଲା ଜଣେ ବ୍ୟକ୍ତିଙ୍କ ଘରବାରଣ୍ଡାରେ ଭଡାଦେଇ ରହୁଛନ୍ତି। ଏଥିପାଇଁ ୬୩ ବର୍ଷିୟା ଏହି ବୃଦ୍ଧା ମାସିକ ୫ଶହ ଟଙ୍କା ଦେଉଛନ୍ତି। ଏହି ଘଟଣାକୁ ନେଇ ଜଟଣୀ ମାନବାଧିକାର କର୍ମୀ ସହାୟତା ପାଇଁ ଯୋଜନା କରି ସ୍ଥାନୀୟ ବୃଦ୍ଧାଶ୍ରମ ଆଶା କିରଣ ହୋମ୍ କର୍ତ୍ତୃପକ୍ଷ,ପୌରନିର୍ବାହୀ, ଜଟଣୀ ଥାନା ଓ କେତେକ ସମାଜସେବୀଙ୍କୁ ଅବଗତ କରିଥିଲେ ମଧ୍ୟ କେହି ସହଯୋଗ ଯୋଗାଇ ପାରିନଥିବା ଜଣାପଡ଼ିଛି । ଏହି ଦୃଶ୍ୟ ଦେଖିଲେ ସମାଜରେ ମାନବିକତା ହଜିଯାଇଥିବା ଭଳି ମନେହୁଏ। ସୂଚନାନୁସାରେ, ଜି.ସାବିତ୍ରୀ ନାମ୍ନୀ ଜଣେ ତେଲୁଗୁ ସଂପ୍ରଦାୟର ବୃଦ୍ଧାଙ୍କ ସ୍ଵାମୀ ଓ ଏକମାତ୍ର ଝିଅର ମୃତ୍ୟୁ ହୋଇଯିବା ପରେ ଜଟଣୀର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ଘରେ କାମଧନ୍ଦା କରି ଆଶ୍ରୟ ନେଇ ରହୁଥିଲେ। ମାତ୍ର ବୟସର ଅପରାହ୍ନରେ କାମଧନ୍ଦା କରି ନିଜେ ଚଳିବାକୁ ଅକ୍ଷମ ହେବାରୁ ଅଭାବ ଅନଟନ ଦେଖା ଦେଇଥିଲା। ଜଣେ ବ୍ୟକ୍ତି ସହାୟ ହୋଇ ସାବିତ୍ରୀଙ୍କ ପାଇଁ ଏକ ଘର ଭଡ଼ା ଯୋଗାଡ଼ କରିବା ସହିତ ପୌରପରିଷଦ ପକ୍ଷରୁ ରାସନକାର୍ଡ ବ୍ୟବସ୍ଥା କରାଇ ଦେଇଥିଲେ। ମାତ୍ର ଅର୍ଥାଭାବରୁ ଘରଭଡ଼ା ଦେଇନପାରିବାରୁ ଘରର ମାଲିକ ବାରଣ୍ଡାରେ ଆଶ୍ରୟ ଦେଇ ମାସିକ ୫ଶହ ଟଙ୍କା ନେଉଛନ୍ତି ବୋଲି ସାବିତ୍ରୀ କହିଛନ୍ତି । ତେବେ ପୌରପରିଷଦରୁ ମିଳୁଥିବା ମାସିକ ଭତ୍ତା ବାବଦରେ ୫ଶହ ଟଙ୍କା ଆଣି ଘରମାଲିକଙ୍କୁ ଦେଇ ଭଡ଼ାରେ ରହିଛନ୍ତି। ବେଳେବେଳେ ଏହି ଭତ୍ତା ବାବଦରେ ମିଳୁଥିବା ଟଙ୍କା ଯଦିକୌଣସି ବାଟରେ ଖର୍ଚ୍ଚ ହୋଇଯାଏ, ତେବେ ସେ ମାସରେ ଭଡ଼ା ଦେଇପାରନ୍ତି ନାହିଁ। ବାର୍ଦ୍ଧକ୍ୟ ଯୋଗୁଁ ବାରମ୍ବାର ଶାରୀରିକ ସମସ୍ୟା ମଧ୍ୟ ଦେଖାଦେଉଛି। ହେଲେ ସେଥିପାଇଁ ଔଷଧ କିଣିବାକୁ ମଧ୍ୟ ପଇସାଟିଏ ନାହିଁ। ଏ ନେଇ କେହି କେତେବେଳେ ସାହାଯ୍ୟ ସହଯୋଗ କରୁଥିବାବେଳେ ଆଉ କେତେବେଳେ ମୁହଁ ମାଡ଼ି ରହିବାକୁ ପଡ଼ିଥାଏ। ଅଧିକାଂଶ ସମୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ସେହି ପିଣ୍ଡାରେ ୨ରୁ ୩ଦିନ ଧରି ପଡ଼ିରହିଥାନ୍ତି। ସ୍ଥାନୀୟ କେତେକ ବ୍ୟକ୍ତି ବିଭିନ୍ନ ସମୟରେ ଅଟୋ ଭଡ଼ାଦେଇ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିବାବେଳେ କୋଭିଡ୍ ଯୋଗୁଁ ଆଉ କେହି ସହଯୋଗ ପାଇଁ ଆସୁନଥିବା କହିଥିଲେ। ଶେଷରେ ବୃଦ୍ଧାଙ୍କ ପାଇଁ ଜଣେ ସହୃଦୟ ବ୍ୟକ୍ତି ଔଷଧ ଆଣିବାଲାଗି ଏକ ସ୍ଵତନ୍ତ୍ର ଔଷଧ ଦୋକାନରେ ବ୍ୟବସ୍ଥା କରିଛନ୍ତି। ଦିନକୁ ଦିନ ସମସ୍ୟା ବଢ଼ିବାପରେ ସ୍ଥାନୀୟ ଲୋକେ ପ୍ରଶାସନର ସ୍ଥାଣୁତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ଜଟଣୀର ମାନବାଧିକାର ସଙ୍ଗଠନ କର୍ମୀ ବାସୁଦେବ ସେଠୀ ତାଙ୍କୁ ଭେଟି ସମସ୍ତ ସମସ୍ୟା ବୁଝିବା ପରେ ପ୍ରଥମେ ଆଶାକିରଣ ବୃଦ୍ଧାଶ୍ରମର କର୍ତ୍ତୃପକ୍ଷ ହୋଚମିନ ଶାସ୍ତ୍ରୀଙ୍କୁ ଅବଗତ କରିଥିଲେ। ଶ୍ରୀ ଶାସ୍ତ୍ରୀ ବୃଦ୍ଧାଙ୍କ ପ୍ରଥମେ କୋଭିଡ୍ ଟେଷ୍ଟ୍ ପାଇଁ ପରାମର୍ଶ ଦେବା ସହ ରିପୋର୍ଟ ଆସିବା ପରେ ଏଠାକୁ ଆଣି ଆସ ବୋଲି କହିଛନ୍ତି। ଏବଂ ପୁଲିସର ନିର୍ଦ୍ଦେଶରେ ଆମେ ଏଠାରେ ରଖିପାରିବୁ ବୋଲି ସେ କହିଛନ୍ତି । ଏନେଇ ଜଟଣୀଥାନା ଆଇଆଇସିଙ୍କୁ ଅବଗତ କରିବାପରେ ସେ କହିଥିଲେ ଯେ, ବୃଦ୍ଧାଙ୍କର କୋଭିଡ ଟେଷ୍ଟକରି ଆଣ ତାପରେ ଦେଖିବା। ଏ ସବୁ ମନ୍ତବ୍ୟରେ ନିରାଶ ହୋଇ ଜଟଣୀ ପୌରନିର୍ବାହୀଙ୍କୁ ଜଣାଇଥିଲେ। ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାର ଗରିବଙ୍କ ପାଇଁ କରିଥିବା ମାଳ ମାଳ ଯୋଜନା କାହା ପାଇଁ ? ତେବେ ଏହି ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ରିପୋର୍ଟ ସଞ୍ଜୀବ କୁମାର



