ବାଲିଗୁଡ଼ା,୨୨/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ରେ ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା 2149 /21.07.2020 ରେ ଏହି ନିର୍ଦ୍ଦେଶ ନାମା ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ରେ କିଛି ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିବା ପରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ସମସ୍ତ ବ୍ୟାଙ୍କ ଗୁଡିକୁ ସାନିଟାଇଜ୍ କରାଯିବା ସହ ସମସ୍ତ ବ୍ୟାଙ୍କ ର କର୍ମଚାରୀ ଓ ଅଧିକାରୀଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଯଦି କୌଣସି କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଦିଏ ତେବେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ନିଜର ସ୍ୱାବ୍ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। କୌଣସି କର୍ମଚାରୀ ସଦର ମହକୁମା ଛାଡି ବାହାରକୁ ଯାଇ ପାରିବେ ନାହିଁ। ଯେଉଁ ସବୁ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ସଂପୃକ୍ତ ଅଞ୍ଚଳରେ କଣ୍ଟେନ୍ମେଣ୍ଟ ଜୋନ୍ ଉଠିଲା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବେ | ବ୍ୟାଙ୍କ ସାନିଟାଇଜ୍ ହେବା ସହ ସମସ୍ତ କର୍ମଚାରୀ କ୍ବାରେଣ୍ଟାଇନ୍ରେ ରହିଥିବା ନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ମେଲ କରିବାକୁ ଏଥିରେ ନିର୍ଦ୍ଦେଶ ନାମା ଦିଆଯାଇଛି। ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମାକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନି ଦିଆଯାଇଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



