
ଜଟଣୀ,୧୭/୦୭(ଜିଲ୍ଲା ଖବର) ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ଦିନକୁ ଦିନ କର୍ମଚାରୀ ମରୁଡି ହୋଇଥିବା ଦେଖାଦେଉଛି। ଫଳରେ ଜଟଣୀ ବାସିଙ୍କ କାର୍ଯ୍ୟରେ ଅବହେଳା ହେଉଛି। ଯେଉଁ ଲୋକ କାମରେ ଯାଉଛନ୍ତି ସେମାନଙ୍କର କୌଣସି କାମ ହୋଇପାରୁନାହିଁ ବୋଲି କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ ବିଭିନ୍ନ କଟକଣା ଜାରିରହିଛି। ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜରୁରୀ କାର୍ଯ୍ୟ ନଥିଲେ କୌଣସି ଲୋକ କାର୍ଯ୍ୟାଳୟକୁ ଆସନ୍ତୁ ନାହିଁ ବୋଲି କୁହାଯାଇଛି। କିନ୍ତୁ ଏହି ସମୟରେ ଜଟଣୀ ବ୍ଲକରେ କେତେକ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏପରିକି ଜଣେ ଜଣେ କର୍ମଚାରୀଙ୍କୁ ଦୁଇଦୁଇଟି ସ୍ଥାନ ସମ୍ଭାଳିବାକୁ ପଡୁଛି। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜଟଣୀ ବ୍ଲକରେ ପୋଷ୍ଟିଙ୍ଗ ହୋଇଥିବା କର୍ମଚାରୀ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକରି ବ୍ଲକରୁ ଦରମା ନେଉଛନ୍ତି। ତେଣୁ ଆଜିକୁ ଦୀର୍ଘଦିନ ହେବ ଜଟଣୀ ବ୍ଲକରେ କର୍ମଚାରୀ ଅଭାବ ଦିନକୁ ଦିନ ବୃଦ୍ଧି ପାଉଛି। ବ୍ଲକର ଏକ ବିଶେଷ ସୂତ୍ରରୁ ଜଣାପଡ଼ିଥିବା ଖବର ଅନୁଯାୟୀ ଏହି ବ୍ଲକରେ ଥିବା କୋପରେଟିଭ ଏକ୍ସଟେନସନ ଅଫିସର(ସି.ଇ.ଓ.) ରାମାନାରାୟଣ ମଲ୍ଲିକ ଚଳିତବର୍ଷ ଜାନୁଆରୀ ମାସରୁ ବଦଳି ହୋଇଥିଲେ ମଧ୍ୟ ଏହି ପଦବୀ ଆଜି ପର୍ଯ୍ୟନ୍ତ ଖାଲି ପଡିଛି। ସେହିପରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ(ବିଏସ୍ଏ) ଦାୟିତ୍ବରେ ଥିବା ବିଜୟ କର ୨୦୨୦ ଫେବୃୟାରୀ ୨୦ ତାରିଖରୁ କାର୍ଯ୍ୟରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନଟି ଖାଲିପଡ଼ିଛି। ଏହି ବ୍ଲକରେ ଖାଲିଥିବା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ(ଜିପିଇଓ) ଅପରାଜିତା ସାଇଁ,ଏବିଡ଼ିଓ ଭାବରେ ପଦୋନ୍ନତି ପାଇଥିବାରୁ ଜିପିଓ ସ୍ଥାନଟି ମଧ୍ୟ ଖାଲି ପଡ଼ିଛି। ବ୍ଲକ ପ୍ରଗତି ସହାୟକ (ବିପିଏ) ଦାୟିତ୍ବରେ ଥିବା କେଳୁଚରଣ ସେଠି ବେଗୁନିଆ ବ୍ଲକକୁ ବଦଳି ହୋଇଛନ୍ତି। କ୍ୟାସିୟର କୃଷ୍ଣଚନ୍ଦ୍ର ସେଠି ଏହି ବ୍ଲକରୁ ବଦଳି ହୋଇ ଖୋର୍ଦ୍ଧା ତହସିଲରେ ଯୋଗ ଦେଇଛନ୍ତି। ମାତ୍ର ଏହି ସବୁ ପଦବୀ ଖାଲି ପଡିବାରୁ ଲୋକମାନଙ୍କର କାର୍ଯ୍ୟରେ ଅବହେଳା ହେଉଛି। ସେହିପରି ଉକ୍ତ ବ୍ଲକରେ ଆସିଷ୍ଟାଣ୍ଟ ଏକ୍ସ୍ୟୁଟିଭ ଇଞ୍ଜିନିୟର ଦାୟିତ୍ବ ତୁଲାଉଥିବା ବିନୋଦ ମହାପାତ୍ର ମଧ୍ୟ ଏଠାରୁ ବଦଳି ହୋଇ ଯାଇଥିଲେ ମଧ୍ୟ ଏମାନଙ୍କ ସ୍ଥାନରେ କୌଣସି ଜଣେ ହେଲେ କର୍ମଚାରୀ ଯୋଗ ଦେଇନାହାନ୍ତି। ତେଣୁ ଏଠାରେ ସିନିୟର କ୍ଲର୍କ ୩ଜଣଙ୍କ ଆବଶ୍ୟକ ସ୍ଥଳେ ୨ ଜଣଙ୍କୁ ନିୟୋଜିତ କରାଯାଇଥିଲା। ଏଥି ମଧ୍ୟରୁ ଜଣେ କିରାଣୀଙ୍କ ବଦଳି ହେବାପରେ ଅନ୍ୟ ଜଣେ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରି ବ୍ଲକରୁ ଦରମା ପାଉଛନ୍ତି। କର୍ମଚାରୀ ମରୁଡି ହୋଇ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଣେ ଜଣେ କର୍ମଚାରୀଙ୍କୁ ବ୍ଲକ ତରଫରୁ ୨୩ଟି କାର୍ଯ୍ୟଭାର ଲଦି ଦିଆଯାଉଥିବା କର୍ମଚାରୀ ଜଣକ ଅଣନିଶ୍ୱାସୀ ହୋଇ ପଡୁଛନ୍ତି। ଜିଲ୍ଲା କାର୍ଯ୍ୟାଳୟରେ ବହୁ ସଂଖ୍ୟକ କର୍ମଚାରୀ ଥିବା ବେଳେ ଜଟଣୀ ବ୍ଲକରୁ କର୍ମଚାରୀ ଯାଇ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟ ତୁଲାଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ରିପୋର୍ଟ ସଞ୍ଜୀବ କୁମାର



