
ଜଟଣୀ,୧୬/୦୭(ଜିଲ୍ଲା ଖବର) ମହାମାରୀ କରୋନା ସଂକ୍ରମଣ ଏବେ ସାଧାରଣ ଲୋକଙ୍କ ପରେ କରୋନା ଯୋଦ୍ଧାମାନଙ୍କୁ ଆକ୍ରମଣ କରିବାରେ ଲାଗିଛି। ଫଳରେ ଲୋକମାନେ ଭୟଭୀତ ହୋଇ ବିଭିନ୍ନ ଉପାୟ ଖୋଜିବାରେ ଲାଗିଗଲେଣି। ଜଟଣୀ ଥାନା ପକ୍ଷରୁ ୧୫ଜଣିଆ ଏପିଆର ଟିମ୍ ମଗାଯାଇଥିଲା। ଉକ୍ତ ୧୫ ଜଣିଆ ଟିମ୍ ଜଟଣୀଥାନା ବ୍ୟାରେକରେ ରହୁଥିବା ବେଳେ ସେଥି ମଧ୍ୟରୁ ଜଣେ ପୋଲିସ୍ କର୍ମଚାରୀ ଭୁବନେଶ୍ବର ସ୍ଥିତ ନିଜଘର ତଥା ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲେ। ଅଧିକାରୀ ଜଣକ ରହୁଥିବା ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବାପରେ ଉକ୍ତ ଆପାର୍ଟମେଣ୍ଟକୁ ସିଲ କରାଯାଇ ସମସ୍ତଙ୍କୁ ସଂଘରୋଧକୁ ପଠା ଯାଇଥିଲା । ଏଥିରେ ଉକ୍ତ ପୁଲିସ ଅଧିକାରୀ ଜଣକ ମଧ୍ୟ ସଂଘରୋଧରେ ୧୪ ଦିନ ରହିବା ପରେ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା। ମାତ୍ର ଅଧିକାରୀ ଜଣକ ସଙ୍ଗରୋଧରୁ ଫେରି ସୋମବାର ଜଟଣୀଥାନା କାର୍ଯ୍ୟ ସ୍ଥଳକୁ ଆସି ବ୍ୟାରେକରେ ଡ୍ୟୁଟିରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ଏଠାରେ ଏକଘଣ୍ଟା ବସିବାପରେ କୋଭିଡ ହସ୍ପିଟାଲରୁ ଏକ ଫୋନ୍ ଆସିଥିଲା। ଏଥିରେ ତାଙ୍କର ପଜିଟିଭ ଥିବା ଖବର ମିଳିବାପରେ ଏହି ବ୍ୟାରେକରେ ଥିବା ଅନ୍ୟ ୧୪ଜଣ ଏପିଆର ମଧ୍ୟ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିବା ବେଳେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ବର ସ୍ଥିତ ୭ମ ବାଟାଲିଅନ କୋଭିଡ ହସ୍ପିଟାଲକୁ ନିଆଯାଇଛି। ଏ ନେଇ ଜଟଣୀ ଥାନାରେ ମଧ୍ୟ ବିଶୋଧନ କରାଯାଇଛି। ସେହିପରି ଜଟଣୀର ବଡ଼ତୋଟାସ୍ଥିତ ସୀମା ସୁରକ୍ଷା ବଳ କ୍ୟାମ୍ପରେ ମୋଟ ୨୪୫ଜଣ ଯବାନ ରହୁଥିଲେ, ମାତ୍ର ଦୁଇଜଣ ଯବାନଙ୍କର କୌଣସି ଚିକିତ୍ସା ଚାଲିଥିବା ସମୟରେ ସେମାନଙ୍କର ସ୍ବାବ ଟେଷ୍ଟ ହୋଇଥିବା ବେଳେ ଶନିବାର ସେମାନଙ୍କର ରିପୋର୍ଟରେ ପଜିଟିଭ ଆସିଥିଲା। ତେବେ ଏନେଇ ଉକ୍ତ ବିଏସ୍ଏଫ୍ କ୍ୟାମ୍ପକୁ ବିଶୋଧନ କରାଯିବା ସହିତ ସମସ୍ତ ଯବାନ ମାନଙ୍କର ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା। ଏହା ପୁର୍ବରୁ ବିଏସ୍ଏଫ୍ କ୍ୟାମ୍ପକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା।
ରିପୋର୍ଟ ସଞ୍ଜୀବ କୁମାର



