Saturday, November 14, 2026
Home ଆଞ୍ଚଳିକ ସାମ୍ବାଦିକଙ୍କୁ “କରୋନା ଯୋଦ୍ଧା” ସମ୍ମାନ ନମିଳିବା ନେଇ ଉଦବେଗ।

ସାମ୍ବାଦିକଙ୍କୁ “କରୋନା ଯୋଦ୍ଧା” ସମ୍ମାନ ନମିଳିବା ନେଇ ଉଦବେଗ।

87

ଗଞ୍ଜାମ,୧୫/୦୭(ଜିଲ୍ଲା ଖବର)କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ମତ ମନ୍ତବ୍ୟରେ ସାମ୍ବାଦିକ ମାନଙ୍କୁ ଅଗଧାଡ଼ିର କୋରନା ଯୋଦ୍ଧା ବୋଲି କହିବା କେବଳ ଧର୍ମକୁ ଆଖିଠାର ଭଳି ସାବ୍ୟସ୍ତ ହୋଇଛି। ଗତ ୧୧/୦୭ ହିଞ୍ଜିଳିକାଟୁ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ସେ ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରିବା ସମୟରେ କିମ୍ବା ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ବେଳେ ସଂକ୍ରମିତ ହୋଇଥିଲେ। ତେବେ ଏ ଯାଏଁ ରାଜ୍ୟ ସରକାରଙ୍କ ତରଫରୁ “କରୋନା ଯୋଦ୍ଧା” ଭାବେ ତାଙ୍କ ପାଇଁ କୌଣସି ସମ୍ମାନ କିମ୍ବା ଶ୍ରଦ୍ଧାଞ୍ଜଳି ମିଳିପାରି ନାହିଁ। ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରକାର ସମ୍ବେଦନା ନଥିବା ଏଥିରୁ ଜଣାପଡୁଛି ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି। କୌଣସି କରୋନା ଯୋଦ୍ଧା ସାମ୍ୱାଦିକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ଗତ ୨୭/୦୪ ରେ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଶ୍ରୀ ପଟ୍ଟନାୟକଙ୍କ ମୃତ୍ୟୁରେ ରାଜ୍ୟ ସରକାର କୌଣସି ତତ୍ପର ଥିବା ଭଳି ଅନୁଭବ ହେଉନି। ସେହିପରି ମୃତ୍ୟୁବରଣ କରୁଥିବା “କରୋନା ଯୋଦ୍ଧା” ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ବେଳେ ସ୍ଵର୍ଗତ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କୌଣସି ଟ୍ୱିଟ ଜିଲ୍ଲା ପ୍ରଶାସନ,ରାଜ୍ୟ ସରକାର କିମ୍ବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ କରାଯାଇନାହିଁ। ସ୍ଵର୍ଗତ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଲୋକପ୍ରିୟ ସାମ୍ବାଦିକ ଥିଲେ, ତେଣୁ ଏନେଇ ଅଞ୍ଚଳବାସୀ ମଧ୍ୟ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ନିର୍ମଳ ମିଶ୍ର, ସେବା ନିବୃତ ସାମ୍ବାଦିକ ରାଜ୍ୟ ସରକାର ଅନ୍ୟ କରୋନା ଯୋଦ୍ଧା ମାନଙ୍କ ମୃତ୍ୟୁରେ ଯେଉଁ ଭଳି ତତ୍ପରତା ଦେଖାଉଛନ୍ତି, କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କ ପାଇଁ ମଧ୍ୟ ଅନୁରୂପ ସମ୍ବେଦନା ପ୍ରକାଶ କରିବା ଉଚିତ। ଯଦିଓ ସାମ୍ବାଦିକ ମାନେ ନିଃସ୍ୱାର୍ଥପର ଭାବରେ ଜୀବନବ୍ୟାପୀ ଏକ ପ୍ରକାର ସମାଜସେବାରେ ନିଜକୁ ନିୟୋଜିତ ରଖିଥାନ୍ତି ତଥାପି ଏହି କ୍ଷେତ୍ରରେ ରାଜ୍ୟ ସରକାର ଆନ୍ତରିକତା ନଦେଖାଇବା ଦୁର୍ଭାଗ୍ୟଜନକ। ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ତଥା ପୂର୍ବତନ ଉପନଗରପାଳ- ସାମ୍ବାଦିକ ମାନଙ୍କ ପାଇଁ ଘୋଷଣା ସର୍ବସ୍ୱ ରାଜ୍ୟ ସରକାରଙ୍କର କୌଣସି ପ୍ରକାର ଆନ୍ତରିକତା ନାହିଁ। ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ କରୋନା ଜନିତ ମୃତ୍ୟୁ ପାଇଁ ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି।
ଶ୍ରୀ ନୃସିଂହ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଅଧିବକ୍ତା- ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ପ୍ରତି ସରକାର ସମବେଦନା ନ ଜଣାଇବା ଏବଂ କରୋନା ଯୋଦ୍ଧା ଭାବେ ସମ୍ମାନ ପ୍ରଦର୍ଶନ ନକରିବା ସାମ୍ବାଦିକ ମାନଙ୍କୁ ହତୋତ୍ସାହିତ କରିବ। ଏହିଭଳି ବିପଦପୂର୍ଣ୍ଣ ସମୟରେ ନିଜ ଜୀବନକୁ ବେଖାତିର କରି ସମାଜର କଲ୍ୟାଣ ପାଇଁ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସରକାର ଉତ୍ସାହିତ କରିବା ଆବଶ୍ୟକ ବୋଲି ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ରିପୋର୍ଟ ରଜନୀକାନ୍ତ ପାତ୍ର