
ଜଟଣୀ,୧୫/୦୭(ଜିଲ୍ଲା ଖବର) କୋଭିଡ୍ ୧୯ ମହାମାରୀ କରୋନା ସଂକ୍ରମଣରୁ ଯାତ୍ରୀମାନଙ୍କୁ ସୁରକ୍ଷା ଦେବାଲାଗି ପୂର୍ବତଟ ରେଳପଥ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରିଛି। ମହାମାରୀ କରୋନା ବିପତ୍ତି ସମୟରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ଡିଭିଜନ ଲୋକମାନଙ୍କୁ ସେବା ଯୋଗାଇବାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ନିଜ ଘର ତଥା ପରିବାର ଲୋକଙ୍କ ନିକଟରେ ପହଞ୍ଚାଇବାରେ ଖୋର୍ଦ୍ଧାରୋଡ ଡିଭିଜନର ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଥିଲା । ମହାମାରୀ କରୋନା ସଙ୍କଟ ସମୟରେ ୩୯ ହଜାର ପ୍ରବାସୀଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ପହଞ୍ଚାଇ ପ୍ରଶଂସାର ପାତ୍ର ହୋଇଥିଲା। ଏହିକ୍ରମରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ଡିଭିଜନ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ୫୨ଟି ଟିକେଟ ସଂରକ୍ଷିତ କାଉଣ୍ଟରରେ ଅଲଟ୍ରାଭାଓଲେଟ ମେସିନର ବ୍ୟବସ୍ଥା କରାଯାଇଛି । ଏହି ମେସିନ ବ୍ୟବହାରରେ ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଟିକେଟ୍ ଫର୍ମ ଓ ଯାତ୍ରୀଙ୍କ ଠାରୁ ଆସୁଥିବା ଟଙ୍କା ବିଶୋଧନ ହୋଇଯାଇଥାଏ। ଏହି ଯନ୍ତ୍ରରୁ ନିର୍ଗତ ହେଉଥିବା ଅତିବାଇଗଣି ରଶ୍ମୀ । ଶତକଡା ୯୯.୯% ଭୂତାଣୁ ଏବଂ ଜିବାଣୁମାନଙ୍କୁ ମାରିଥାଏ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ରେଳକର୍ମଚାରୀ ଓ ଯାତ୍ରୀମାନେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ। ପ୍ରତ୍ୟେକ ଯାତ୍ରୀ ସେମାନଙ୍କର ସଂରକ୍ଷିତ ଟିକେଟ ପାଇଁ ଆବଶ୍ୟକୀୟ ଫର୍ମ ଓ ଟଙ୍କା ପ୍ରଭୃତିକୁ ଉକ୍ତ ଯନ୍ତ୍ର ସହିତ ସଂଲଗ୍ନ ମଧ୍ୟରେ ରଖିବେ। ଏହି ଯନ୍ତ୍ର ବ୍ୟବହାର ପରେ ଏହି ଫର୍ମ ଓ ଟଙ୍କା ସହିତ ଟିକେଟ ମଧ୍ୟ ବିଶୋଧନ ହୋଇଯାଇଥାଏ।
ରିପୋର୍ଟ ସଞ୍ଜୀବ କୁମାର



