
ଜଟଣୀ,୧୦/୬(ଜିଲ୍ଲା ଖବର)ମହାମାରୀ କରୋନା ସଙ୍କଟ ସମୟରେ ସରକାର ସ୍ୱଛତା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ହେଲେ ଜଟଣୀ ପୌର ପରିଷଦ ଏହାକୁ ତିଳେ ମାତ୍ର ଖାତିର୍ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ସହରବାସୀ। ଜଟଣୀର ବିଭିନ୍ନ ୱାର୍ଡରେ କୁଢ଼କୁଢ଼ ଅଳିଆବର୍ଜନା ଜମାହୋଇ ରହିଥିବା ବେଳେ ମୌସୁମୀ ବର୍ଷାର ପ୍ରକୋପରେ ସହରର ଅବସ୍ଥା ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। କୋଭିଡ୍-୧୯ ମହାମାରୀ କରୋନା ବିପତ୍ତିରେ ସରକାର ଲୋକମାନଙ୍କୁ ସ୍ବଚ୍ଛ ଓ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସହରକୁ ସ୍ୱଚ୍ଛତା ତଥା ଆବର୍ଜନାମୁକ୍ତ ରଖିବାକୁ ଏକ ଗାଇଡଲାଇନ ଜାରିକରିଛନ୍ତି। କିନ୍ତୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ସହରର ପ୍ରତ୍ୟକ ଗଳିକନ୍ଦି ଆବର୍ଜନାମୟ ହୋଇ ପଡ଼ି ରହିଛି। ପୌର ପରିଷଦ ୨୩ ୱାର୍ଡ ମଧ୍ୟରୁ ରେଳପଥ ଅଧୀନରେ ରହୁଥିବା ପାଞ୍ଚଟି ୱାର୍ଡକୁ ଛାଡିଦେଲେ ବାକି ଅନ୍ୟ ସମସ୍ତ ୱାର୍ଡରେ ଅଳିଆ ଆବର୍ଜନା ଭରି ରହିଥିବା ଦେଖିବାକୁ ମିଳିଛି। ଜଟଣୀ ପୌରପରିଷଦରେ କାର୍ଯ୍ୟରତ ଥିବା ୧୫୦ ରୁ ଉର୍ଦ୍ଧ୍ବ ସ୍ଥାୟୀ ଓ ଅସ୍ଥାୟୀ ସଫେଇ କର୍ମଚାରୀ ମାନେ କାର୍ଯ୍ୟ କରନ୍ତି। ହେଲେ ଏତେ ସଂଖ୍ୟକ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇ ମଧ୍ୟ ବିଭିନ୍ନ ୱାର୍ଡରେ ଆବର୍ଜନା ପଡ଼ିରହୁଛି। ଫଳରେ ଏହି ରାସ୍ତାରେ ଗଲାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ଅନ୍ୟ ପକ୍ଷରେ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କରୁଥିବାନେଇ ପୌର କାର୍ଯ୍ୟାଳୟ ପକ୍ଷରୁ ଗୋପନରେ ଜିପିଆରଏସ ଲଗାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖାଯାଉଛି। ହେଲେ ଏଥିରୁ ଅନେକ କର୍ମଚାରୀ ରେଳବିଭାଗର ସଫେଇ କର୍ମଚାରୀଭାବେ ମଧ୍ୟ ଯୋଗଦେଇ କାର୍ଯ୍ୟ କରୁଥିବା କେତକ ବ୍ୟକ୍ତି ପୌର କାର୍ଯ୍ୟାଳୟକୁ ଅଭିଯୋଗ କରିଛନ୍ତି। ବିଗତ ଦିନରେ ଗୋଟିଏ କର୍ମଚାରୀ କେଉଁଭଳି ଉପାୟରେ ଦୁଇଟି ବିଭାଗରେ କାର୍ଯ୍ୟକରି ବେଆଇନଭାବେ ଅର୍ଥ ଉପାର୍ଜନ କରୁଛି ତାହା ତଦନ୍ତ ପରିସରକୁ ଆସୁବୋଲି ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୌର କାର୍ଯ୍ୟାଳୟ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ପ୍ରତ୍ୟେକ ଦିନ ନିର୍ଦ୍ଧିଷ୍ଟ ଗୋଟିଏ ଅଞ୍ଚଳକୁ କର୍ମଚାରୀମାନେ ସଫେଇ କରିବାକୁ ଯାଉଛନ୍ତି। କିନ୍ତୁ ସଫେଇ କାର୍ଯ୍ୟ କରିବା ବେଳେ କର୍ମଚାରୀ ମାନେ ମାସ୍କ, ଗ୍ଲୋବ, ସାନିଟାଇଜେର ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି। ମାତ୍ର ପୌର କାର୍ଯ୍ୟାଳୟ ସବୁଜାଣି ଅଭିଯୋଗ ପାଇ ଚୁପ ବସିରହିଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ତେବେ ପୌର ପରିଷଦର ଏହିଭଳି କାର୍ଯ୍ୟକୁ ନେଇ ସହରବାସୀ ଅତିଷ୍ଠ ହୋଇଛନ୍ତି।

ରିପୋର୍ଟ ସଞ୍ଜୀବ କୁମାର



