
ଆସିକା,୨୩/୭(ଜିଲ୍ଲା ଖବର): ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ବିରୁଦ୍ଧ କରି ଆଜି ଆସିକାରେ ସାମ୍ବାଦିକ ମାନଙ୍କ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ଏବଂ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭା ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଅନିଲ କୁମାର ପାଣିଗ୍ରାହିଙ୍କ ଏବଂ ଡିଜିଟାଲ ମିଡିଆ ଆସୋସିଏସନ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆସିକାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ତିବ୍ର ନିନ୍ଦା କରାଯାଇଥିଲା । ଏହା ସହିତ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଥିଲା । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ବାରମ୍ଭାର ଦୁଃର୍ବ୍ୟବହାର କରାଯାଉଛି । ନିଜ ଜୀବନକୁ ବାଜି ଲଗାଇ ଯେଉଁ ସାମ୍ବାଦିକ ମାନେ ଖବର ସଂଗ୍ରହ କରି ଲୋକଲୋଚନକୁ ଆଣୁଛନ୍ତି ଏବଂ ଅନ୍ୟାୟ, ଅନତୀ, ବ୍ୟଭିଚାର, କଳାବଜାରର ମୁଖା ଖୋଲୁଛନ୍ତି ଆଜି ସେହି ସାମ୍ବାଦିକ ମାନେ ଆଜି ଅସହାୟ ମନେକରୁଛନ୍ତି । ସାମ୍ବାଦିକଙ୍କୁ ବାରମ୍ଭାର ଆକ୍ରମଣ କରୁଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ସହିତ ସମାନ । ଗତ ଦିନରେ ଅନେକ ଘଟଣା ଘଟିଯାଇଥିଲେ ମଧ୍ୟ ୧୭ ତାରିଖରେ କେନ୍ଦ୍ରପଡା ଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଖବର ସଂଗ୍ରହ କରୁଥିବା ନ୍ୟୁଜ ୧୮ର ସାମ୍ବାଦିକ ସଞ୍ଜୟ କୁମାର ମଲ୍ଲୀକ ଓ ଅର୍ଗସ ଟିଭିର ମହିଳା ରିପୋର୍ଟର ସ୍ୱାତୀ ଜେନାଙ୍କୁ ଏସପି ନିତି ଶେଖର ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶୋଭାଯାତ୍ରାରେ ପ୍ରତିବାଦ କରାଯାଇଥିଲା । ଏବେ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା ଜରୁରୀ ପଡିଥିବା ସାମ୍ବାଦିକ ମାନେ ଦାବୀ କରିଥିଲେ । ଶେଷରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ବାରମ୍ଭାର ଆକ୍ରମଣ ଘଟଣାର ନିରାକରଣ ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସିକା ତହସିଲଦାର ସୁବାଷ ଚନ୍ଦ୍ର ସେଠିଆଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଅନିଲ କୁମାର ପାଣିଗ୍ରାହି, ସୁରେନ୍ଦ୍ର ସାହୁ, କ୍ଷିରୋଦ ଚନ୍ଦ୍ର ବେହେରା, ଜି.ସୁମନ୍ତ ପାତ୍ର, ସାମ୍ବାଦିକ ପ୍ରଶାନ୍ତ କୁମାର ମୁନୀ, ଶକ୍ତି ପ୍ରସାଦ କର, ସୁନିଲ କୁମାର ନାହାକ, ସୁଶାନ୍ତ କୁମାର ସାହୁ, ଶିବରାମ ସିଅ, ସୁଶାନ୍ତ କୁମାର ରାଉତ, ବି.ଜ୍ୟୋର୍ତିମୟୀ ପାତ୍ର, ପୂଜା ରାଣି ପ୍ରଧାନ, ସ୍ୱୟଂ ସାକ୍ଷର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।



