ନୂଆଦିଲ୍ଲୀ : ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ ମାନନୀୟ ଡ. ରାଲ୍ଫ ଏଭରାର୍ଡ ଗୋନସାଲଭିସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଭାରତ ଗସ୍ତରେ ଆସିଛନ୍ତି । ସେ ମଧ୍ୟ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ଉଚ୍ଚସ୍ତରୀୟ ମିଳିତ ଜାତିସଂଘ (ୟୁଏନସିସିଡି) ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।
ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ ସମେତ କାରିବିୟାନ ଓ ଲାଟିନ ଆମେରିକୀୟ ରାଷ୍ଟ୍ରରେ ଭାରତ ପାଇଁ ରହିଥିବା ବ୍ୟାପକ ସଦଭାବନା ବିଷୟରେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଉଲ୍ଲେଖ କରିଥିଲେ । ଏହି କ୍ଷେତ୍ର ପାଇଁ ଭାରତର ବିକାଶମୂଳକ ସହଯୋଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଲାଗି ନିୟମିତ ସହାୟତାକୁ ସେ ପ୍ରଶଂସା କରିଥିଲେ ।
ଅନ୍ତର୍ଜାତୀୟ ମଞ୍ଚ ସମେତ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । “ସବୁଠୁ କ୍ଷୁଦ୍ର ରାଷ୍ଟ୍ର” ଭାବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପେ ନିର୍ବାଚିତ ହେବାର ଐତିହାସିକ ଉପଲବ୍ଧି ପାଇଁ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସକୁ ଅଭିନନ୍ଦନ ଜଣାଇଥିଲେ ।
ଦକ୍ଷତା ବିକାଶ, ତାଲିମ, ଶିକ୍ଷା, ଅର୍ଥ, ସଂସ୍କୃତି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସମେତ ଦୁଇ ଦେଶ ମଧ୍ୟରେ ସମ୍ପ୍ରସାରିତ ସହଯୋଗ ଲାଗି ଦୁଇ ନେତା ସହମତ ହୋଇଥିଲେ ।
(ସ୍ରୋତ-ପିଆବି)



