
ବ୍ରହ୍ମପୁର,୧୯/୦୬ (ଜିଲ୍ଲା ଖବର) : ରାଜ୍ୟସ୍ତରୀୟ ସର୍ବ ବୃହତ୍ କଳାକାର ସଂଗଠନ ‘ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ରାଜ୍ୟ ଲୋକକଳା ଦିବସ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସ ଭରେ ପାଳିତ ହୋଇଯାଇଛି । ବିଶ୍ଵତ୍ରାସୀ କରୋନା ମହାମାରୀର ପ୍ରତିହତ ନିମନ୍ତେ ସରକାରୀ ସ୍ତରରେ ନିଆଯାଇଥିବା କଟକଣା ଭିତରେ ଅନୁଷ୍ଠାନର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ତତ୍ତ୍ଵାବଧାନରେ ମୋବାଇଲ୍ କନ୍ଫରେନ୍ସିଙ୍ଗ୍ ଯୋଗେ ଆୟୋଜିତ ସାଂସ୍କୃତିକ ସଭାରେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ସାମାଜିକ ଗଣ ସଞ୍ଜୋଗୀ କରଣ ବ୍ୟବସ୍ଥା କ୍ରମରେ କନ୍ଧମାଳ ଜିଲ୍ଲା କଳାକାର ସଭାପତି ଅକ୍ଷୟ କୁମାର କର୍ଣ୍ଣ, ବାଲିଗୁଡ଼ା କଳାକାର ସଂଘ ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଉମରକୋଟ ଅଞ୍ଚଳର ବିଶିଷ୍ଟ ନାଟ୍ୟ ସଂଗଠକ ନାଟ୍ୟକାର ଗୋପାଳ ମହାରଣା, ସମ୍ବଲପୁର ବରଗଡର ସୁନାମଧନ୍ୟ କଣ୍ଠଶିଳ୍ପୀ ରମେଶ ଚନ୍ଦ୍ର ଦାଶ, ବାଲେଶ୍ଵର ଜିଲ୍ଲା ଖଇରା ସାମ୍ବାଦିକ ତଥା କଳାକାର ନରେନ୍ଦ୍ର ପ୍ରସାଦ ବେହେରା, ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ଆଡ୍ଭୋକେଟ୍ ବଟକୃଷ୍ଣ ପାତ୍ର, ଅଡବା ଉପଖଣ୍ଡ କଳାକାର ସଂଘ ଉପଦେଷ୍ଟା ରବୀନ୍ଦ୍ର ନାଥ ମିଶ୍ର, ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଉପଦେଷ୍ଟା ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ନାଥ ଶର୍ମା, ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, ଛତ୍ରପୁର ଡିପିଆର୍ ଓ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଜୁନ୍ ୧୪ ତାରିଖ ରାଜ୍ୟ ଲୋକକଳା ଦିବସ କଳାକାର ମାନଙ୍କ ଭିତରେ ଐକ୍ୟ ଭାବ ଓ ଭାଇ ଚାରାର ପବିତ୍ର ଭାବଧାରା ରେ ଅବଗାହିତ କରିବା ସହିତ ରାଜ୍ୟ ଲୋକକଳାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ କଳାକାର ମାନଙ୍କ ଅଙ୍ଗୀକାରବଦ୍ଧତା ସମ୍ପର୍କରେ ସଚେତନ କରିଥାଏ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ମହାସଚିବ ଶ୍ରୀ ସାହୁ ସୁନ୍ଦର ସୃଷ୍ଠୁ ସମାଜ ଗଠନରେ କଳା ଓ କଳାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅବଲୋକନ କରି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଶତାବ୍ଦୀର ଦ୍ଵିତୀୟ ଦଶନ୍ଧିର ପ୍ରାକ୍ କାଳରେ ଜୁନ୍ ୧୪ ତାରିଖକୁ ରାଜ୍ୟ ଲୋକକଳା ଦିବସ ରୂପେ ଘୋଷଣା କରିବା ଏବଂ ପ୍ରତିବର୍ଷ ସରକାରୀ ସ୍ତରରେ ପାଳନ କରି ଆସୁଥିବା ହେତୁ ଆନୁଷ୍ଠାନିକ ସାଧୁବାଦ ଜ୍ଞାପନ କରିବା ସହିତ ସଂପ୍ରତି କରୋନା ମହାମାରୀ ପ୍ରଭାବରେ ପୂର୍ଣତଃ ବେରୋଜଗାରୀ ହୋଇ ପଡିଥିବା ପେଶାଦାର କଳାକାରମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ତାଙ୍କ ସ୍ଵାଗତ ଭାଷଣ କ୍ରମରେ ସରକାରଙ୍କ ନିକଟରେ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ କଳାକାର ମୋବାଇଲ ସଂଯୋଗୀକରଣ ଭିତରେ ଯୋଡ଼ି ହୋଇ ଉତ୍ସବର ସଫଳତା କ୍ଷେତ୍ରରେ ସହାୟତା କରିଥିଲେ । ପରିଶେଷରେ ଭଞ୍ଜନଗର ସଂଯୋଜକ ଜୟକୃଷ୍ଣ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।



