
କଟକ ୧୨।୬ (ଜିଲ୍ଲା ଖବର) : ଓଲିଉଡ଼୍ ହାସ୍ୟ ଅଭିନେତା ଗୁଡ଼ୁ ଓ ରବି କୁମାର ପୃଥକ ପୃଥକ ଭାବେ ବିଭିନ୍ନ ଜିଲ୍ଲା ବୁଲି ରିଲିଫ୍ ବଣ୍ଟନ କରିବାରେ ଆଗେଇ ଆସିଛନ୍ତି। କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ସହଯୋଗରେ ଗୁଡ଼ୁ ଓ ରବି ଲକ୍ ଡ଼ାଉନ୍ ଦିନଠାରୁ ପ୍ରତି ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ସ୍ଥାନକୁ ଯାଇ ଗରିବ, ଅସହାୟ, ଆଦିବାସୀ ଓ ଦଳିତମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ପାଉଣ୍ଡେସନ୍ର ପକ୍ଷରୁ ରିଲିଫ୍ ଯୋଗାଇ ଦିଆଯାଉଥିବା ବେଳେ ଦୁଇ ଅଭିନେତା ସ୍ଥାନୀୟ ଲୋକଙ୍କ ମୁହଁରେ ହସ ଫୁଟାଇ ରିଲିଫ୍ ଦେବାସହ କରୋନା ମହାମାରିରେ ସରକାରଙ୍କ ନୀୟମକୁ କଡ଼ାକଡ଼ି ପାଳନ କରିବା ନେଇ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଏଯାବତ୍ ରବି ୬ଟି ସ୍ଥାନରେ ରିଲିଫ୍ ବଣ୍ଟନ କରିଥିବା ବେଳେ ଗୁଡ଼ୁ ମଧ୍ୟ ୬ଟି ସ୍ଥାନରେ ରିଲିଫ୍ ବଣ୍ଟନ କରିବାରେ ଫାଉଣ୍ଡେସନ୍ ସଭ୍ୟମାନଙ୍କୁ ସହଯୋଗ କରିଛନ୍ତି। ଲକ୍ ଡ଼ାଉନ ଉଠିବା ପର୍ଯ୍ୟନ୍ତ ଏହି ସେବାକାର୍ଯ୍ୟରେ ଅଭିନେତାମାନେ ଯୋଗଦେଇ ଲୋକଙ୍କୁ ସଚେତନ କରାଇବେ ବୋଲି ସଭାପତି ସୁଶାନ୍ତ ଦାସ ପ୍ରକାଶକରିଛନ୍ତି। ଗୋଟିଏ ପଟେ ଓଲିଉଡ଼୍ ଅଭିନେତା ସବ୍ୟସାଚୀ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ରାଜ୍ୟରୁ ଆଣି ସେମାନଙ୍କ ଘରେ ପହଞ୍ଚାଇବା ଭଳି ବଦାନ୍ୟତା କାର୍ଯ୍ୟ କରୁଥିବା ବେଳେ ଗୁଡ଼ୁ ଓ ରବି କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ସହ ମିଶି ଅସହାୟ ଲୋକଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରୁଛନ୍ତି। ଯାହାନେଇ ସ୍ଥାନୀୟ ଲୋକ ଗ୍ଲାମର୍ ଜଗତର ଏହି କଳାକାରମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ବିପତି ସମୟରେ ନାମି ଦାମି କଳାକାରମାନେ ଘରୁ ବାହାରୁ ନଥିବା ବେଳେ କୋରିଓଗ୍ରାଫର୍ ତଥା ଫାଉଣ୍ଡେସନ୍ର ସଂପାଦକ ବିଦ୍ୟାଧର ବାରିକ ସବ୍ୟସାଚୀ, ଗୁଡ଼ୁ ଓ ରବିକୁମାରଙ୍କୁ ସେମାନଙ୍କ ବଦାନ୍ୟତା ପାଇଁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଲକ୍ ଡ଼ାଉନ୍ ସମୟଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୧ଟି ଜିଲ୍ଲାରେ ଫାଉଣ୍ଡେସନ୍ ପକ୍ଷରୁ ଖାଦ୍ୟ ଯୋଗାଇ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏଥିରେ ସହଯୋଗ କରିଥିଲେ ପରାମର୍ଶଦାତା ରମେଶ ବାରିକ ନିର୍ଦେଶକ ଯୋଗେନ୍ଦ୍ର ନାଥ ଭୋଇ, ସତ୍ୟଜିତ୍ ରାତଉ, ମଦନମୋହନ ବିଶ୍ବାଳ, ଦେବରାଜ ଭୋଇ, ପବନ ପରିଡ଼ା ଓ ସୁସଲ୍ ଭୋଇ।




