ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ଯାତ୍ରୀ, ପର୍ୟ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଯାତାୟାତ ସୁବିଧା ପ୍ରଦାନ କରିବା ନିମନ୍ତେ ମେ ପହିଲା, ୨୦୨୦ ଠାରୁ ଗୃହ ମନ୍ତ୍ରଣାଳୟର ଆଦେଶ ଅନୁରୂପ ଭାରତୀୟ ରେଳବାଇ ପକ୍ଷରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ ଲାଗି ନିଷ୍ପତ୍ତି ନିଆଯାଇଥିଲା।
୨୫ ମେ ୨୦୨୦ (ଦିନ ୧୦ଟା ସୁଦ୍ଧା), ମୋଟ ୩୦୬୦ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରିଛି। ଏହି ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ୪୦ ଲକ୍ଷରୁ ଅଧିକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳୀରେ ପହଞ୍ଚିପାରିଛନ୍ତି। ଏହି ୩୦୬୦ଟି ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ ୨୬୦୮ଟି ଟ୍ରେନ ପହଞ୍ଚିସାରିଥିବା ବେଳେ ୪୫୩ଟି ଟ୍ରେନ ବର୍ତ୍ତମାନ ଯାତ୍ରା ପଥରେ ରହିଛି। ୨୪.୦୫.୨୦୨୦ରେ ୨୩୭ଟି ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ୩.୧ ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ।
ଏହି ୩୦୬୦ ଶ୍ରମିକ ସ୍ପେଶାଲ ଟ୍ରେନ ବିଭିନ୍ନ ରାଜ୍ୟରୁ ଯାତ୍ରା ଆରମ୍ଭ କରିଥିଲେ। ତେବେ ଗୁଜରାଟରୁ ସର୍ବାଧିକ ୮୫୩, ମହାରାଷ୍ଟ୍ରରୁ ୫୫୦, ପଞ୍ଜାବରୁ ୩୩୩, ଉତ୍ତର ପ୍ରଦେଶ ୨୨୧, ଦିଲ୍ଲୀରୁ ୧୮୧ ଟ୍ରେନ ଚଳାଚଳ କରିଥିଲା। ସେହିପରି ଉତ୍ତର ପ୍ରଦେଶରେ ସର୍ବାଧିକ ୧୨୪୫, ବିହାରରେ ୮୪୬, ଝାଡ଼ଖଣ୍ଡରେ ୧୨୩ ଟ୍ରେନ, ମଧ୍ୟପ୍ରଦେଶରେ ୧୧୨ ଟ୍ରେନ ଏବଂ ଓଡ଼ିଶାରେ ୭୩ଟି ଟ୍ରେନ ପହଞ୍ଚିଥିଲା। ୨୩ ଓ ୨୪ ମେ ୨୦୨୦ରେ କେତେକ ରେଳ ମାର୍ଗରେ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର ଏହା ଏବେ ଦୂର ହୋଇସାରିଛି। ବିହାର ଉତ୍ତରପ୍ରଦେଶ ମାର୍ଗରେ ଦୁଇ ତୃତୀୟାଂଶ ରେଳ ଟ୍ରାଫିକ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମ୍ପାଦନ କରାଯିବାକୁ ଥିବା ସ୍ଵାସ୍ଥ୍ୟ ସତର୍କତା ନିୟମ ପାଳନ ଯୋଗୁ ଭିଡ଼ ବଢ଼ିଥିଲା।
ରାଜ୍ୟ ସରକାରଙ୍କ ସହ ସକ୍ରିୟ ପରାମର୍ଶ ମାଧ୍ୟମରେ ସମସ୍ୟା ଦୂର ହେବା ସହ ଅନ୍ୟ ବିକଳ୍ପ ମାର୍ଗ ସନ୍ଧାନ ମଧ୍ୟ କରାଯାଇଥିଲା। ଶ୍ରମିକ ସ୍ପେଶାଲ ଟ୍ରେନ ଅତିରିକ୍ତ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ଵତନ୍ତ୍ର ଟ୍ରେନ ନୂଆଦିଲ୍ଲୀରୁ ଚଳାଚଳ କରୁଛି ଏବଂ ଜୁନ ପହିଲା, ୨୦୨୦ ଠାରୁ ଆହୁରି ୨୦୦ ସମୟସାରଣୀ ଟ୍ରେନ ଚଳାଚଳ କରିବା ଲାଗି ଯୋଜନା କରିଛି ।



