Thursday, November 12, 2026
Home ଆଞ୍ଚଳିକ ବଦଳିଲେ କୋଦଳା ଏନଏସି ବିବାଦୀୟ କାର୍ଯ୍ଯ ନିର୍ବାହୀ ଅଧିକାରୀ

ବଦଳିଲେ କୋଦଳା ଏନଏସି ବିବାଦୀୟ କାର୍ଯ୍ଯ ନିର୍ବାହୀ ଅଧିକାରୀ

32

କୋଦଳା ୨୩/୫(ଜିଲ୍ଲା ଖବର) : ବିବାଦୀୟ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀଙ୍କୁ ଶେଷରେ କୋଦଳା ଏନ୍ଏସି ଅଧିକାରୀ ଦାୟିତ୍ବ ଛାଡିବାକୁ ପଡିଛି। କିଛି ଦିନ ଧରି ଏହି ଅଫିସର ଜଣକ କୋଦଳା ଏନଏସିର ବିଭିନ୍ନ କାର୍ଯ୍ୟକୁ ନେଇ ବିବାଦ ଘେରକୁ ଆସିଥିଲେ। ଗଂଜାମ ଜିଲ୍ଲାର ଚିକିଟି ଓ କୋଦଳା ଦୁଇଟି ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିବା ଏହି ଅଧିକାରୀ ଜଣକ ଅଧିକାଂଶ ସମୟରେ କୋଦଳାରେ ଏନ୍ଏସି ରେ ରହୁଥିବା ବେଳେ କୋଦଳାର କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କୁ ନେଇ ମନମୁଖୀ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଠିକାଦାର ପୋଷଣ ନୀତି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜାଣିଶୁଣି ଚୁପ୍ ରହୁଥିଲେ ସଂପୃକ୍ତ ଅଧିକାରୀ। ଏପରିକି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ଯବସ୍ଥା ଅଭିଯୋଗ ସଂପର୍କୀତ ଖବର ସଂଗ୍ରହ କରୁଥିବା ବେଳେ ଦୁଇଜଣ ସାମ୍ବାଦିକଙ୍କୁ ଧମକ ଦେଇ ମିଥ୍ଯା କେଶ୍ ରେ ଫଶାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ନିକଟରେ ଏନ୍ ଏ ସି ଅଧିନସ୍ଥ ପୁଣି ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାସି ଖାଦ୍ୟ ପରିବେଷଣ ହେଉଥିବା ନେଇ ଅନ୍ତେବାସୀ ମାନେ ପ୍ରତିବାଦ କରିଥିଲେ। ସମସ୍ତ ବେଆଇନ କାର୍ଯ୍ୟକୁ ସଲାସୁତୁରାରେ ପ୍ରୋତ୍ସାହନ ଦେଉଥିବା ନେଇ ତାଙ୍କ ଉପରେ ଗମ୍ଭୀର ଆରୋପ ଥିବା ବେଳେ ଏନେଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଶନିବାର ତାଙ୍କୁ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଦାୟିତ୍ବରୁ ନିବୃତ୍ତ କରି ଦିଆ ଯାଇଛି। ରାଜ୍ୟ ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ର ସଂଖ୍ୟା – ୯୩୯୪(୨୦/୦୫/୨୦୨୦) ରୁ ଏନେଇ ସୂଚନା ମିଳିଛି। ପ୍ରତି ବଦଳରେ ସମ୍ବଲପୁର ରୁ ବଳୟ ଦେଉରିକୁଂ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।