Home ଜିଲ୍ଲା ଖୋର୍ଦ୍ଧା ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

28

ଭୁବନେଶ୍ବର,୨୩/୦୫:ସାରା ଦେଶରେ ଗୋଟିଏ ପଟେ କରୋନା ଭୂତାଣୁ କାରଣରୁ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ଜୀବନ ବଞ୍ଚାଇବା ଲାଗି ସାରା ବିଶ୍ଵ ଯୁଦ୍ଧ ଲଢ଼ୁଛି; ଏଭଳି ସଙ୍କଟ ସମୟରେ ହିନ୍ଦୁସ୍ତାନ ପାଇଁ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର, ସମସ୍ତ ବିଭାଗ ଏବଂ ଏକପ୍ରକାରରେ କହିଲେ, ସମସ୍ତ ନାଗରିକ, ଏହି କରୋନା ଭୂତାଣୁ ମୁକାବିଲାରେ ଗତ ଦୁଇ-ଅଢ଼େଇ ମାସ ଧରି ଲାଗି ରହିଛନ୍ତି।

ଏଭଳି ସମୟରେ ବାତ୍ୟାର ଏତେବଡ଼ ସଙ୍କଟ ଏବଂ ତାହାପୁଣି ମହାବାତ୍ୟା, ବହୁତ ଚିନ୍ତାର ବିଷୟ ଥିଲା। ପଶ୍ଚିମବଙ୍ଗ ଦିଗରେ ଅଗ୍ରସର ହେବା ସମୟରେ ଏହା ଓଡ଼ିଶାରେ କେତେ କ୍ଷତି ଘଟାଇବ, ତାହା ସବୁବେଳେ ଚିନ୍ତାର ବିଷୟ ହୋଇ ରହିଥିଲା। କିନ୍ତୁ ଯେପରି ଭାବେ ଏଠାରେ ବ୍ୟବସ୍ଥାକୁ ସଂସ୍ଥାଗତ କରାଯାଇଛି, ଗ୍ରାମାଞ୍ଚଳ ନାଗରିକମାନଙ୍କୁ ଏଭଳି ସମୟରେ କ’ଣ କରିବାକୁ ପଡ଼ିବ, ଏହାର ସଠିକ ସୂଚନା ଥିବା କାରଣରୁ ଏଠାରେ ଜୀବନ ରକ୍ଷା କରିବାରେ ବହୁତ ବଡ଼ ସଫଳତା ମିଳିଲା। ତେଣୁ ସେଥିପାଇଁ ଓଡ଼ିଶାର ନାଗରିକ, ଓଡ଼ିଶାର ପ୍ରଶାସନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ବାବୁଙ୍କ ସମ୍ପୂର୍ଣ୍ଣ ଟିମ ଅଭିନନ୍ଦନର ଅଧିକାରୀ।

କିନ୍ତୁ ଯେତେବେଳେ ଏତେ ବଡ଼ ପ୍ରାକୃତିକ ବିପର୍ୟ୍ୟୟ ଆସିଥାଏ, ସେତେବେଳେ ସମ୍ପତ୍ତିର କ୍ଷତି ତ’ ହୋଇଥାଏ। ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ ସେତେ କ୍ଷୟକ୍ଷତି ହୋଇନାହିଁ, କିନ୍ତୁ ଏଭଳି ସଙ୍କଟ ତ’ ଲାଞ୍ଜ ପିଟି ଯାଇଥାଏ। ତେଣୁ ସେଥିପାଇଁ ଆବାସିକ କ୍ଷେତ୍ରରେ, କୃଷି କ୍ଷେତ୍ରରେ, ବିଦ୍ୟୁତ କ୍ଷେତ୍ରରେ, ଟେଲିଯୋଗାଯୋଗ କ୍ଷେତ୍ରରେ, ଭିତ୍ତିଭୂମିରେ ଯେଉଁ କ୍ଷତି ହୋଇଛି ତା’ର ସମ୍ପୂର୍ଣ୍ଣ ବିବରଣୀ ସମୀକ୍ଷା କରିଛି। ରାଜ୍ୟ ସରକାର ମଧ୍ୟ ବିସ୍ତୃତ ଭାବେ ମୋ ଆଗରେ ସବୁ ବିଷୟ ଉପସ୍ଥାପନ କରିଛନ୍ତି।

ଏଠାକାର ସରକାରୀ ବ୍ୟବସ୍ଥା ପକ୍ଷରୁ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ଭାରତ ସରକାରଙ୍କୁ ମିଳିବ। ଭାରତ ସରକାରଙ୍କ ଟିମ ମଧ୍ୟ ତତ୍କାଳ ଏଠାରେ ପହଞ୍ଚିବ ଏବଂ ସମ୍ପୂର୍ଣ୍ଣ ପରିସ୍ଥିତିର ସମୀକ୍ଷା କରି ଦୀର୍ଘ ସମୟ ପର୍ୟ୍ୟନ୍ତ ରିଲିଫ ହେଉ, ପୁନରୁଦ୍ଧାର ଓ ପୁନଃନିର୍ମାଣ ହେଉ, ଏ ସମସ୍ତ ବିଷୟ ପ୍ରତି ପ୍ରାଥମିକତା ଦେଇ କାର୍ୟ୍ୟକୁ ଆଗେଇ ନେବ।

କିନ୍ତୁ ତତ୍କାଳ ଆବଶ୍ୟକତାକୁ ଧ୍ୟାନରେ ରଖି ଭାରତ ସରକାରଙ୍କ ପକ୍ଷରୁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ରୂପରେ ଦେବା ଲାଗି ଆମେ ନିଷ୍ପତ୍ତି ନେଇଛୁ। ବାକି ଆବଶ୍ୟକତା ସମୀକ୍ଷା ଶେଷ ହେବା ପରେ, ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ ହେବା ପରେ ଭାରତ ସରକାର ମଧ୍ୟ କାନ୍ଧ ସହ କାନ୍ଧ ମିଳାଇ ଓଡ଼ିଶାର ବିକାଶ ଯାତ୍ରାରେ ଏବଂ ଏହି ସଙ୍କଟର ମୁହୂର୍ତ୍ତରୁ ବାହାରକୁ ବାହାରିବା ଲାଗି ସବୁପ୍ରକାରର ସହାୟତା କରିବେ। ବହୁତ ବହୁତ ଧନ୍ୟବାଦ ।