ସ୍ୱାଧୀନତା ପରେ ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରୀ ସମସ୍ୟାର ଦୂରୀକରଣ

29

ଓଡ଼ିଶାରେ ଗ୍ରାମାଞ୍ଚଳ ମାନଙ୍କରେ ଅଧିକାଂଶ ଶିକ୍ଷାର ଅଭାବ ଓ ବେକାରୀ ସମସ୍ୟା ଦେଖାଯାଇଥାଏ । ଯାହା ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ରାଜ୍ୟରେ ବହୁ ସଂଖ୍ୟକ ଏମ୍‌.ବି.ଏ, ଇଂଜିନିୟର, କମ୍ପ୍ୟୁଟର ଇଂଜିନିୟର, ଡ଼ାକ୍ତର ପ୍ରଭୃତି ରାଜ୍ୟ ବାହାରକୁ ଦିଲ୍ଲୀ, ମୁମ୍ବାଇ ଏପରିକି ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ ଇତ୍ୟାଦି ଦେଶକୁ ଭଲ କାମଟିଏ ପାଇବାକୁ ବାହାରି ଯାଇଥାନ୍ତି । କିନ୍ତୁ ନିଜ ରାଜ୍ୟ ନିଜ ଗାଁରେ ରହି ଗ୍ରାମାଞ୍ଚଳର ଉନ୍ନତି କ୍ଷେତ୍ରରେ ନିଜର ଅବଦାନ କଥା ଭୁଲି ଯାଆନ୍ତି । ଆମେ ଯଦି ଆମ ରାଜ୍ୟରେ ଥିବା ଗାଁ ଗୁଡ଼ିକର ପ୍ରତ୍ୟେକ ଜମିକୁ ଜଳ ଯୋଗାଇ ଦେଇ ପାରିବା ତେବେ ପ୍ରତ୍ୟେକ ହାତକୁ କାମ ଯୋଗାଇବା ମଧ୍ୟ ସମ୍ଭବ ହୋଇପାରିବ । ସମସ୍ତେ ନିଜ କ୍ଷମତା ମୁତାବକ କାମ ପାଇପାରିବେ, କେବଳ କଠିନ ପରିଶ୍ରମ କରିବାର ମନୋବୃତ୍ତି ଥିଲେ ହେଲା ।

ଆମ ବେକାର ସମସ୍ୟାର ମୂଳ ହେଲା ସମସ୍ତେ ପରିଶ୍ରମ ନକରି ସହଜରେ ରୋଜଗାର କରିବାକୁ ଓ ଅଧିକାରୁ ଅଧିକା ଅର୍ଥଲାଭ କରିବାକୁ ଚାହିଁ ବସିଛନ୍ତି ।
ଓଡ଼ିଶାର ପ୍ରାକୃତିକ ସମ୍ବଳ, ଜନଶକ୍ତି, ଅନୁକୂଳ ଭୌଗୋଳିକ ପରିବେଶ ଓ ପରିସ୍ଥିତି ଥାଇ ମଧ୍ୟ ଯଦି ଏହା ଏକ ପଛୁଆ ରାଜ୍ୟ ଏଥିପାଇଁ କିଏ ଦାୟୀ? ଆମର ରାଜନୈତିକ ନେତୃବର୍ଗ ଓ ଅମଲାତନ୍ତ୍ର ବିଚାର କରୁଥିଲେ । ଯେ ନୂଆ ନୂଆ ପଦବୀ ଖୋଲି ବେକାର ସମସ୍ୟାର ମସାଧାନ କରାଯାଇ ପାରିବ । ସରକାରୀ କଳ, କର୍ପୋରେସନ ବା ବଡ଼ବଡ଼ କଳ କାରଖାନାମାନଙ୍କରେ ଏଭଳି ପଦବୀ ଖୋଲା ଯାଇପାରିବ । ବର୍ତ୍ତମାନ ସେ ସଂସ୍ଥାଗୁଡ଼ିକ ‘ସ୍ୱେଚ୍ଛାକୃତ ଅବସର ଗ୍ରହଣ’ର ଯୋଜନା ଗୁଡ଼ିକ ଲାଗୁକରି ବହୁ ଟଙ୍କା ଖର୍ଚ୍ଚ କରି ସେମାନଙ୍କ କର୍ମଚାରୀ ସଂଖ୍ୟା କମାଇବାରେ ଲାଗିଛନ୍ତି । ରାଜନୈତିକ ନେତୃବର୍ଗ ସେମାନଙ୍କ ଯୋଜନା ପ୍ରସ୍ତୁତ କରିବା ପାଇଁ ଦକ୍ଷ ବ୍ୟକ୍ତି ନିଯୁକ୍ତ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ସେମାନଙ୍କ ତୃଟି ପାଇଁ ରାଜ୍ୟକୁ ତା’ର କୁପରିଣାମ ଭୋଗ କରିବାକୁ ପଡ଼ୁଛି ।

ଦୈନନ୍ଦିନ ବ୍ୟବହାର ସାମଗ୍ରୀ ପାଇଁ ଯଦି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡେ଼, ସ୍ୱାଭିବକ ଭାବେ ଆମ ରାଜ୍ୟ ଅନୁନ୍ନତ ହୋଇ ପଡ଼ିରହେ, ଆର୍ଥିକ ଦିଗରୁ ଦୁର୍ବଳ ହୋଇପଡେ଼ ଏବଂ ଯୁବକମାନେ ବେକାର ହୋଇ ରହିଯାଆନ୍ତି । ଆମର କଠିନ ପରିଶ୍ରମର ଫଳ ଅନ୍ୟ ରାଜ୍ୟକୁ ଚାଲିଯାଏ । ଏହି ସମସ୍ୟାର ସମାଧାନ ହେଲା ଓଡ଼ିଶାରେ ଯୁବକମାନଙ୍କୁ ତାଲିମ ଦେବା ପାଇଁ କେନ୍ଦ୍ରମାନ ବହୁଳ ପରିମାଣରେ ଖୋଲାଯିବା ଆବଶ୍ୟକ । ବିଭିନ୍ନ କାମ ପାଇଁ ତାଲିମ କେନ୍ଦ୍ର ପଞ୍ଚାୟତ, ବ୍ଲକସ୍ତରମାନଙ୍କରେ ଖୋଲାଯିବା ଉଚିତ । ତାହା ମଧ୍ୟ ପଞ୍ଚମଶ୍ରେଣୀ ପାସ, ସପ୍ତମ ଶ୍ରେଣୀ ପାସ, ଦଶମ ଶ୍ରେଣୀ ପାସ ପ୍ରଭୃତି ସ୍ତରର ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ହେବା ଉଚିତ । ମିସ୍ତ୍ରୀ କାମ, ବଢେ଼ଇକାମ, ଦରଜୀକାମ, ସାଇକେଲ, ମଟର, ସ୍କୁଟର ମେକାନିକ, ସ୍ୱାସ୍ଥ୍ୟ ପରିଦର୍ଶକ ଇତ୍ୟଦି ତାଲିମ କେନ୍ଦ୍ର ଗ୍ରାମପଞ୍ଚାୟତସ୍ତର ପର୍ଯ୍ୟନ୍ତ ଖୋଲାଯିବା ଉଚିତ । ଉଦ୍ୟାନ କାର୍ଯ୍ୟ, ମାଛ ଚାଷ, ଫୁଲ ଚାଷ ପାଇଁ ମଧ୍ୟ ସୁଯୋଗ ରହିଛି ।

ଗାଁ ମାନଙ୍କରେ ବିଭିନ୍ନ ପ୍ରକାରର ତେଲ ମଞ୍ଜି ଉତ୍ପାଦନ କରାଯାଉଥିବାରୁ ଗାଁରେ ଛୋଟ ଛୋଟ ତେଲ ନିଷ୍କାସନ କଳମାନ ବସାଯାଇପାରେ । ତା’ ହେଲେ ମଞ୍ଜିକୁ ପେଡ଼ିବା ପାଇଁ ସହରକୁ ନେବା ପୁଣି ତେଲ ବାହାରିବା ପରେ ତାକୁ ଗାଁକୁ ବୋହି ଆଣିବା ଭଳି ନେବା ଆଣିବା ଖର୍ଚ୍ଚ କମ କରାଯାଇପାରେ ଛୋଟ ତେଲ ନିଷ୍କାସନ କଳ ଯଦି ଖର୍ଚ୍ଚ କମ କରାଯାଇପାରେ । ଛୋଟ ତେଲ ନିଷ୍କାସନ କଳ ଯଦି ଖର୍ଚ୍ଚ ଦୃଷ୍ଟିରୁ ଯଥେଷ୍ଟ ସୁବିଧା ଜନକ ହେଲା, ତେବେ ତାକୁ ରିସର୍ଚ୍ଚ ଏଣ୍ଡ ଡେ଼ଭେଲପମେଣ୍ଟ ବିଭାଗରେ ଆହୁରି ଉନ୍ନତ ଓ ଉପଯୋଗୀ କରାଯାଇପାରେ ।

ବଡ଼ ବଡ଼ ଶିଳ୍ପ ଯୋଜନା ବଦଳରେ ଆମର ଦୈନିକ ଚାହିଦା ମେଣ୍ଟାଇବା ଭଳି ଛୋଟ ଛୋଟ କଳକାରଖାନା ବସାଇ ଗ୍ରାମାଞ୍ଚଳ ମାନଙ୍କରୁ ବେକାର ସମସ୍ୟାର ସଫଳ ସମାଧାନ କରାଯାଇପାରିବ । ଯାହା ଭାରତୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ ।