ଚିକିଟୀ ବ୍ଲକ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ

14

ଚିକିଟି,୪/୧୨(ଜିଲ୍ଲା ଖବର) : ସାଧାରଣ ଶିକ୍ଷାର୍ଥୀଙ୍କ ଭଳି ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ଠାରେ ବିଶେଷ ଦକ୍ଷତା ରହିଥାଏ। ତାହାକୁ ଉପଯୋଗକରି ସୁରାଷ୍ଟ୍ର ଓ ସଶକ୍ତ ରାଷ୍ଟ୍ର ଗଠନକରିବା, ସେମାନଙ୍କ ସମସ୍ୟାକୁ ବୁଝି ବିଭିନ୍ନ ସହାୟତା ଓ ପ୍ରୋତ୍ସାହନ ପ୍ରଦାନକରିବା, ସମାଜର ମୁଖ୍ୟସ୍ରୋତରେ ସେମାନଙ୍କୁ ଯୋଡିବା ସର୍ବୋପରି କଠିନ ଜୀବନ ପାଇଁ ଉଦାର ହୃଦୟକୁ ଖୋଲା ରଖିବା ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା, ଗଞ୍ଜାମ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଚିକିଟୀଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ୨୦୨୫ ସ୍ଥାନୀୟ ରାଜକବି ରାଧାମୋହନ ବିଦ୍ୟାପୀଠରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ସମସ୍ତ ଦିବ୍ୟାଙ୍ଗ ଓ ସେମାନଙ୍କର ପିତାମାତାଙ୍କ ନାମ ପଞ୍ଜିକୃତ କରାଯାଇଥିଲା। ଏହାପରେ ଚିକିଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଏକ ବିଶାଳ ଶୋଭାଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ।ପରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ମ୍ୟୁଜିକାଲ ଚେୟାର ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଚାରକ ମଣ୍ଡଳୀ ଚୟନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଗଣ ପୁରସ୍କୃତ କରିଥିଲେ। ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନେ ସମାଜରେ ଆଦୌ ଅବହେଳିତ ନୁହଁନ୍ତି, ସେମାନେ ନିଜ ନିଜ ଦକ୍ଷତା ବଳରେ କଠିନ ପରିଶ୍ରମ କରି ସମାଜରେ ସ୍ବାବଲମ୍ବୀ ହୋଇ ପାରିଥିବା ଭଳି ଅନେକ ଉଦାହରଣ ରହିଛି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜର ବକ୍ତବ୍ୟ ରଖିବା ସହିତ ସମସ୍ତ ଶିକ୍ଷାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଆଜି ଯେଉଁଭଳି ଉନ୍ନତି କରି ପାରୁଛନ୍ତି, ତାର ଶ୍ରେୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ଓ ସରକାରଙ୍କୁ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି। ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ତରଫରୁ ପ୍ରକାଶିତ ବାର୍ଷିକ ପତ୍ରିକା “ପ୍ରୟାସ” କୁ ସମସ୍ତ ଅତିଥି ଅଧିକାରୀ ଉନ୍ମୋଚନ କରିବା ସହିତ ଉପସ୍ଥିତ ୧୦୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ଭାବେ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା, ସମସ୍ତ ସି.ଆର୍.ସି, ଶିକ୍ଷକ ଶିକ୍ଷୟିତ୍ରୀ, ରାଜକବି ରାଧାମୋହନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ, ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ଚିକିଟୀର ସମସ୍ତ ସ୍ୱେଚ୍ଛାସେବୀ ବନ୍ଧୁ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରକୃତି ବନ୍ଧୁ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ସଭାକାର୍ଯ୍ୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।