ମା’ କାଳୀ llଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି। ଏହି ପବିତ୍ର ଅବସରରେ ବିଶ୍ୱଜନନୀ ଜଗତ୍‌ମାତା ମହାକାଳୀଙ୍କର ଉପାସନାରେ ମଗ୍ନ ଧରାନିବାସୀ

4

ଅମବାସ୍ୟର ଘନ ଅନ୍ଧକାରକୁ ଚିରି ଦୀପାବଳି ଆଲୋକର ବିଜୟ ଘୋଷଣା କରୁଥିବାବେଳେ, ମା କାଳୀ ହେଉଛନ୍ତି ସେହି ଆଦ୍ୟାଶକ୍ତିଙ୍କର ଅତ୍ୟନ୍ତ ରହସ୍ୟମୟ ରୂପ, ଯିଏ କାଳର ସ୍ୱରୂପ ଓ ସମସ୍ତ ସୃଷ୍ଟିର ଆରମ୍ଭ ତଥା ଶେଷ।କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ଓ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ।କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି, ଏ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ । ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା । ତାଙ୍କର ରୂପ ବାହ୍ୟତଃ ଭୟଙ୍କର ମନେ ହେଉଥିଲେ ମଧ୍ୟ, ଏହି ଭୟଙ୍କରତା ଭିତରେ ଲୁଚି ରହିଛି ଅପାର କରୁଣା ଏବଂ ମୁକ୍ତିର ମହାନ୍ ଦର୍ଶନ।‘କାଳୀ’ ଶବ୍ଦଟି ‘କାଳ’ (ସମୟ) ରୁ ଉତ୍ପନ୍ନ। ମା କାଳୀ ସମୟର ସୀମାକୁ ଅତିକ୍ରମ କରିଥିବା ମହାଶକ୍ତି। ତାଙ୍କର କଳା ବର୍ଣ୍ଣ ଏହି କଥାକୁ ଦର୍ଶାଏ ଯେ ସେ ସମସ୍ତ ରୂପ, ବର୍ଣ୍ଣ ଏବଂ ଗୁଣରୁ ଊର୍ଦ୍ଧ୍ବ୍ୱରେ। ଯେପରି ସମସ୍ତ ରଙ୍ଗ ଶେଷରେ କଳାରେ ବିଲୀନ ହୁଏ, ସେହିପରି ସମସ୍ତ ସୃଷ୍ଟି ଓ ସଂସାର ଶେଷରେ ମା’ଙ୍କଠାରେ ହିଁ ଲୀନ ହୋଇଥାଏ। ସେ ହେଉଛନ୍ତି ବ୍ରହ୍ମାଣ୍ଡୀୟ ଶୂନ୍ୟତାର ପ୍ରତୀକ। ମାଆଙ୍କ ରୂପ ଅତ୍ୟନ୍ତ ପ୍ରତୀକାତ୍ମକ। ନିଜ ସ୍ୱାମୀ ଶିବଙ୍କ (ଶବ ରୂପରେ) ଉପରେ ଠିଆ ହେବା ଦର୍ଶାଏ ଯେ ଶକ୍ତି (କାଳୀ) ବିନା ଶିବ (ଚେତନା) କେବଳ ଏକ ଶବ ସଦୃଶ; କ୍ରିୟାଶୀଳତା ହିଁ ଜଗତର ସଞ୍ଚାଳକ। ତାଙ୍କ ଗଳାରେ ଥିବା ନରମୁଣ୍ଡମାଳା ମଣିଷର ଅହଂକାର, ମୋହମାୟା ଏବଂ ଖରାପ ପ୍ରବୃତ୍ତିଗୁଡ଼ିକର ବିନାଶକୁ ସୂଚାଏ। ଏହି ପ୍ରତୀକବାଦର ଅର୍ଥ ହେଉଛି, ମା କାଳୀ କେବଳ ବାହ୍ୟ ଶତ୍ରୁଙ୍କୁ ନୁହେଁ, ବରଂ ଆମ ଭିତରେ ଥିବା ଅଜ୍ଞାନତା ଏବଂ ମୃତ୍ୟୁର ଭୟକୁ ନାଶ କରନ୍ତି।
ତାଙ୍କ ରୂପ ଭୟାନକ ହୋଇଥିଲେ ହେଁ ମା କାଳୀ ତାଙ୍କ ଭକ୍ତମାନଙ୍କ ପାଇଁ ସବୁଠାରୁ କରୁଣାମୟୀ ମାତା। ସେ ସମସ୍ତ ପ୍ରକାର ଭୟରୁ ମୁକ୍ତି ଦିଅନ୍ତି ଏବଂ ତାଙ୍କର ଉପାସନା କରୁଥିବା ସାଧକଙ୍କୁ ସାଂସାରିକ ମୋହରୁ ମୁକ୍ତି ପ୍ରଦାନ କରନ୍ତି। ପରମହଂସ ରାମକୃଷ୍ଣଙ୍କ ଭଳି ମହାନ ସାଧକମାନେ ତାଙ୍କୁ ସମସ୍ତ ଜୀବନର ମୂଳ ତତ୍ତ୍ୱ ଭାବରେ ଦେଖି ପ୍ରେମର ସହିତ ପୂଜା କରିଛନ୍ତି। ତାଙ୍କର ଉପାସନା ଆମକୁ ଶିଖାଏ ଯେ ଜୀବନର ଅନ୍ଧକାରମୟ ଦିଗଗୁଡ଼ିକୁ ସାହସର ସହ ସାମ୍ନା କରିବା ଏବଂ ଅହଂକାରକୁ ତ୍ୟାଗ କରିବା ଦ୍ୱାରା ହିଁ ଆମେ ପ୍ରକୃତ ଆଧ୍ୟାତ୍ମିକ ଆଲୋକ ଓ ମାତୃତ୍ୱର ସର୍ବୋଚ୍ଚ କରୁଣା ପ୍ରାପ୍ତ କରିପାରିବା।ମା ମହାକାଳୀ ହେଉଛନ୍ତି ଅମାନାଶ (ଅହଂକାର ନାଶ)ର ଦେବୀ ଏବଂ ସମସ୍ତ ଭୟରୁ ମୁକ୍ତିଦାତ୍ରୀ, ତେଣୁ ତାଙ୍କର କରୁଣାର ଆଲୋକ ହିଁ ଏହି ବିଶ୍ୱବ୍ୟାପୀ ଅନ୍ଧକାରକୁ ଦୂର କରିପାରିବ। ତାଙ୍କ ଆଶୀର୍ବାଦରେ ହିଁ ମଣିଷ ନିଜ ଭିତରେ ଥିବା ’ଶବ’ (ଜଡ଼ତା)କୁ ତ୍ୟାଗ କରି ଶକ୍ତିର ଜାଗରଣ ଏବଂ ପରସ୍ପର ପ୍ରତି ବିଶ୍ୱାସ, ସହନଶୀଳତା ଓ ମାନବିକତାର ଦିବ୍ୟ ଆଲୋକରେ ଜଗତକୁ ପୂର୍ଣ୍ଣ କରିପାରିବ।

ମା କାଳୀ କେବଳ ଦେବୀ ନୁହନ୍ତି, ସେ ହେଉଛନ୍ତି ଜୀବନ, ମୃତ୍ୟୁ, ପରିବର୍ତ୍ତନ ଏବଂ ପରିଶେଷରେ ଅନନ୍ତ ଶାନ୍ତିର ଏକ ଅବିସ୍ମରଣୀୟ ଶିକ୍ଷା। ପୌରାଣୀକ ମତେ ଥରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇ ଜଣ ରାକ୍ଷସ ଭୀଷଣ ଶକ୍ତିଶାଳୀ ହୋଇ ଦେବତାମାନଙ୍କୁ ପ୍ରପୀଡ଼ିତ କରି ଭୀତତ୍ରସ୍ତ କରି ଦେଲେ । ଦେବତାମାନେ ମା’ଙ୍କର ସୁରକ୍ଷା ଭିକ୍ଷା କଲେ । ମା’ ଦୁର୍ଗା ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଭାବରେ ରାକ୍ଷସଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଲେ କିନ୍ତୁ ରାକ୍ଷସ ଦ୍ୱୟ ତାଙ୍କର ଦୁଇ ସହକାରୀ ଚଣ୍ଡା ଓ ମୁଣ୍ଡାଙ୍କୁ ପଠାଇ ମା’ଙ୍କୁ ଧରି ଆଣିବାକୁ ଆଦେଶ ଦେଲେ । ମା’ ତତ୍‌କ୍ଷଣାତ୍‌ ସେମାନଙ୍କୁ ସଂହାର କରି ଚାମୁଣ୍ଡେଶ୍ୱରୀ ନାମରେ ବିଦିତା ହେଲେ । ଏଥିରେ ବ୍ୟଥିତ ହୋଇ ଶୁମ୍ଭ, ନିଶୁମ୍ଭ ରକ୍ତବୀଜ ନାମକ ଏକ ପରାକ୍ରମୀ ରାକ୍ଷସକୁ ପଠାଇଲେ । ରକ୍ତବୀଜ ପାଇଥିବା ବର ଅନୁଯାୟୀ ତାର ପ୍ରତି ରକ୍ତବିନ୍ଦୁ ଭୂତଳପାତ ହେଲେ ଗୋଟିଏ ରାକ୍ଷସ ପୁଣି ଜନ୍ମ ନେଉଥିଲା । ଏହି ଅନିବାର୍ଯ୍ୟ ଶକ୍ତିକୁ ପରାହତ କରିବା ପାଇଁ ମା’ ମହାକାଳୀ ରୂପ ଧାରଣ କରି ରକ୍ତବୀଜର ରକ୍ତବିନ୍ଦୁ ତଲେ ପଡ଼ିବା ପୂର୍ବରୁ ତାକୁ ପିଇ ଦେଉଥିଲେ । ଏହି ପ୍ରକ୍ରିୟାରେ ରକ୍ତବୀଜର ବର କାର୍ଯ୍ୟ କରିପାରିଲା ନାହିଁ ଏବଂ ମା ତାକୁ ବିନାଶ କରିଦେଲେ । ଏହାପରେ ଦେବୀ ଶୁମ୍ଭ ନିଶୁମ୍ଭକୁ ବଧ କଲେ ।ଏହାପରେ କିନ୍ତୁ ଦେବୀଙ୍କର କ୍ରୋଧ ଓ ଶକ୍ତିର ଅବସାନ ଘଟିଲା ନାହିଁ । ମୃତ୍ୟୁର ଭୟଙ୍କର ନୃତ୍ୟରେ ସେ ସବୁକିଛି ଧ୍ୱଂସ କରି ଚାଲିଲେ । ଦେବତାମାନେ ପ୍ରାର୍ଥନା କଲେ ମଧ୍ୟ ମା ଶାନ୍ତ ହେଲେ ନାହିଁ। ଶେଷରେ ଶିବଯୁଦ୍ଧକ୍ଷେତ୍ରରେ ମୃତାହତ ରାକ୍ଷସମାନଙ୍କ ମଧ୍ୟରେ ମା’ଙ୍କର ଜୟଯାତ୍ରା ମାର୍ଗରେ ଶୋଇଗଲେ ଏବଂ ଯେତେବେଳେ ମା’ଙ୍କର ପାଦ ଶିବଙ୍କ ବକ୍ଷାଘାତ କଲା ସେ ଜିଭ କାମୁଡ଼ି ପକାଇ, ସ୍ତମ୍ଭୀଭୂତ ତତ୍‌କ୍ଷଣାତ୍‌ ଶାନ୍ତ ହୋଇଗଲେ ଏହି ରୂପେ ସୃଷ୍ଟି ଧ୍ୱଂସମ୍ମୁଖରୁ ରକ୍ଷା ପାଇଥିଲା ।🙏❤️