ହିନ୍ଦୀ ପଖବାଡ଼ା ଅନ୍ତର୍ଗତ ହିନ୍ଦୀ ଦିବସ ସମାରୋହ।

3

(ହିନ୍ଦୀଭାଷାକୁ ଜନାଦୃତ, ବିକଶିତ ଏବଂ ରାଷ୍ଟ୍ରଭାଷା କରିବା ପାଇଁ ଦୃଢ ସଂକଳ୍ପ ଏବଂ ଚାକିରିର ସୁଯୋଗ ଏକାନ୍ତ ଆବଶ୍ୟକ – ମୁଖ୍ୟ ଅତିଥି)

ଆସିକା ତା ୧୮/୯ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ ମହାବିଦ୍ୟାଳୟର ହିନ୍ଦୀ ବିଭାଗ ତରଫରୁ ହିନ୍ଦୀ ପଖବାଡ଼ା ଅନ୍ତର୍ଗତ ହିନ୍ଦୀ ଦିବସ ସମାରୋହ ଏକ ଭବ୍ୟ ଏବଂ ବର୍ଣ୍ଣା଼ଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ଡିଏଭି ପବ୍ଳିକ ସ୍କୁଲର ଅବସର ପ୍ରାପ୍ତ ଅଧ୍ୟକ୍ଷା ଏବଂ ଆର୍ୟାନ ଗ୍ରୁପ ଅଫ୍ ପବ୍ଳିକ ସ୍କୁଲର ନିର୍ଦ୍ଦେଶକ ଶ୍ରୀମତୀ ଦୀପ ଗମ୍ଭୀର ଉପସ୍ଥିତ ଥିଲେ। ପ୍ରଥମେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଯାଇଥିଲା। ତତ୍ପଶ୍ଚାତ୍ ଶିକ୍ଷକ ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ବନୀରେ ଅତିଥିଙ୍କ କର କମଳରେ ଚତୁର୍ଦ୍ଧାମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରୀ ସୁଶ୍ରୀ ଦୀପିକା, ବବିତା ଏବଂ ସୃତିଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ମୁଖ୍ୟ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ ଏବଂ ସଭା ସଂଯୋଜନା କରିଥିଲେ। ତତ୍ପଶ୍ଚାତ୍ ଅଧ୍ୟକ୍ଷ ଡ. ଚୌଧୁରୀ ସ୍ବାଗତ ଭାଷଣ ରଖିଥିଲେ ଏବଂ ହିନ୍ଦୀ ବିଭାଗର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ହିନ୍ଦୀ ବିଭାଗମୁଖ୍ୟା ଡ. ଜିନିତ୍ ସବା ହିନ୍ଦୀ ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ରଖିଥିଲେ। ମୁଖ୍ୟଅତିଥି ଶ୍ରୀମତୀ ଦିପ ଗମ୍ଭୀର ହିନ୍ଦୀ ଭାଷାର ମହତ୍ତ୍ବରେ କହିଥିଲେ, ହିନ୍ଦୀଭାଷାକୁ ଜନାଦୃତ, ବିକଶିତ ଏବଂ ରାଷ୍ଟ୍ରଭାଷା କରିବା ପାଇଁ ଦୃଢ ସଂକଳ୍ପ ଏବଂ ଚାକିରିର ସୁଯୋଗ ଏକାନ୍ତ ଆବଶ୍ୟକ। ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ହିନ୍ଦୀ ଭାଷା ସହ କୌଣସି ଏକ ଅନ୍ତର୍ଜାତୀୟସ୍ତରୀୟ ଭାଷାର ପାରଦର୍ଶିତାରେ ଭାରତର ରାଷ୍ଟ୍ରଦୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ହିନ୍ଦୀ ଦିବସ ପାଇଁ ଆୟୋଜିତ ନିବନ୍ଧ ଏବଂ ତର୍କ-ବିତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ହିନ୍ଦୀ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଅକୁଣ୍ଠ ସହଯୋଗରେ ସମାରୋହ ସଫଳ ରୂପାୟନ ହୋଇପାରିଥିଲା। ପରିଶେଷରେ ହିନ୍ଦୀ ଅଧ୍ୟାପିକା କୁନିକା ଦାଶ ହିନ୍ଦୀଭାଷାର ସାରଗର୍ଭିତ ସଂଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।