
✍️ ଦେଵବ୍ରତ ପଟ୍ଟନାୟକ \ ହିଞ୍ଜିଲିକାଟୁ, ଗଞ୍ଜାମ
ବିଷାଦ ବହୁତ ଆଜି ହୃଦୟ କାନ୍ଦୁଛି,
ତୁମ ଅଭାବ ତା ମଧ୍ୟରେ ଭାରି ବାଧୁଛି।
ତୁମକୁ ଜଣା ସୁନ୍ଦର ଅନେକ ବାହାନା,
ଭଲପାଇବାର କାହିଁ କେତେ କରିଛ ଛଳନା ?
ଆଜି ତୁମ ଶୂନ୍ୟସ୍ଥାନ ଭରୁ ନାହିଁ ସ୍ମୃତି,
ଏବେ ମଧ୍ୟ ମନେ ତାଜା ଯେମିତି ସେମିତି।
ଆଜି ମଧ୍ୟ ତୁମେ ମୋର ଶେଷ ନିର୍ଣ୍ଣାୟକ,
ଆଖି ଥକିନି ତୁମକୁ ଖୋଜୁଛି ଅନେକ।
ଦିବସ କଟିଯାଏ ହେଲେ ରାତି କଟେନା,
ସତ ଚେଷ୍ଟା ସତ୍ବେ ତୁମକୁ ଭୁଲି ହୁଏନା।
ସମ୍ପର୍କ ସେତୁ ସତ୍ୟତା ସ୍ଵୀକୃତି ସହିତ,
ଖେଳନା ନୁହଁଇ ଯାହା ଜୀବନ ଜଡିତ ।
ସ୍ନେହଶ୍ରଦ୍ଧା ସାଥେ ସିନା ଶୋଭେ ସଂସାରଟା,
ଫୁଲ ଗଛେ ଫୁଲ ଝଡେ ରହେ କିନ୍ତୁ କଣ୍ଟା।
ଫୁଲ ପାଖେ କଣ୍ଟା କଥା ସବୁ ଭୁଲିଥାନ୍ତି,
ଫୁଲ ମୋହେ କଣ୍ଟାର ଆଘାତ ଭୁଲିଯାନ୍ତି।
କଣ୍ଟା ଅଛି ବୋଲି କିଛି ଫୁଲ ନ ଛୁଅନ୍ତି,
ଜୀବନରେ ଏକା ରହି ଦୃଷ୍ଟାନ୍ତ ବନାନ୍ତି ।
ମାୟା ମୋହରେ ମାନବ ଫସି ରହିଯାନ୍ତି,
ଜ୍ଞାନ ପ୍ରାପ୍ତି ହୁଏ ଯେବେ ସବୁ ବୁଝିଥାନ୍ତି।
ଜୀବନ ସାରା ସାଧନ ଯେବେ ବ୍ୟର୍ଥ ହେବ,
ବେଳଥାଉ ସାବଧାନ ହେବାକୁ ପଡିବ।
ସବୁ ଜାଣି ତୁମକୁ ମୁଁ କରୁଛି ଅପେକ୍ଷା,
ଏ ଜନମେ ଯୋଗନାହିଁ ଆର ଜନ୍ମେ ଦେଖା।
ପ୍ରତୀକ୍ଷା ନୁହଁଇ ମୋର କେବେ ପ୍ରହେଳିକା,
ଶାଶ୍ୱତ ପ୍ରେମରେ ଥାଏ ବହୁ ପ୍ରବେଶିକା।
ମିଥ୍ୟା ପ୍ରବଂଚନାରେ ମୁଁ ନୁହଁରେ ଶିକାର,
ମୋ ଭାଗ୍ୟରେ ଭିନ୍ନ କିଛି ଲେଖନ୍ତି ଈଶ୍ୱର।
ଈଶ୍ୱର ଇଛାରେ ଜଗତର ଆତଯାତ,
କର୍ମଫଳ ଭାଗ୍ୟରେଖା ବଦଳାଏ ସତ।



