
ଧରାକୋଟ,୧/୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ମାନଚିତ୍ରରେ ଧରାକୋଟ ଗଡର ସ୍ଵତନ୍ତ୍ରତା ବେଶ ବାରିହୋଇ ପଡ଼ୁଛି। ଶିକ୍ଷା,ସାହିତ୍ୟ,ସଂସ୍କୃତି,ରାଜନୀତି ସହିତ ଆଧ୍ୟାତ୍ମିକତା ଦୃଷ୍ଟିରୁ ଏହା ଏହା ବେଶ ରୁଦ୍ଧିମନ୍ତ । ସଂପ୍ରତି ଏଥି ସହିତ ଆଉ ଏକ ଫର୍ଦ୍ ଯୋଡ଼ି ହୋଇ ଯାଇଛି ପର୍ଯ୍ୟଟନ । ଧରାକୋଟ ଗଡର ଦକ୍ଷିଣ ପଶ୍ଚିମ ଦିଗରେ ପ୍ରକୃତିର ଅପରୂପ ପ୍ରାକୃତିକ ଶୋଭା ରାଜି ମଧ୍ୟରେ ରହିଛି ସାନ୍ତିଝର ପୀଠ। ଦକ୍ଷିଣ ପୂର୍ବ କୋଣରେ ରହିଛି ପତାଲେଶ୍ୱରି ପୀଠ। ଏଠାରୁ ଚାରି କିମି ଦୂରରେ ବେଠୁଆର ଗାଁ ରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମା ଘୋଡାଦେବୀ ,ଉତ୍ତରରେ ପୁଟୁ ଗ୍ରମରେ ପ୍ରସିଦ୍ଧ ଶୈବ ପୀଠ ମୁକ୍ତେଶ୍ଵର , ରତ୍ନପୁର ରେ ଚନ୍ଦ୍ର କଳ୍ପେଶ୍ୱର,ଜଗମୋହନ ରେ କିମ୍ବଦନ୍ତୀ ର ସତୀ ମଠ ରହିଥିବା ବେଳେ ଧରାକୋଟ ରେ ପ୍ରସିଦ୍ଧ ଓ ପୁରାତନ ଜଗନ୍ନାଥ ମନ୍ଦିର ସାଙ୍ଗକୁ ରାଜବାଟି ରହିଛି । ଏହି ସବୁ ମଠ,ମନ୍ଦିର ଓ ପୀଠ ପାଇଁ ଧରାକୋଟ ର ସ୍ଵତନ୍ତ୍ରତା ରହିଛି। ସଂପ୍ରତି ଶୀତ ଋତୁ ପାଇଁ ଶାନ୍ତି ଝର ପୀଠ ବେଶ ଚଳ ଚଞ୍ଚଳ ହୋଇଉଠିଛି ପର୍ଯ୍ୟଟକ ଙ୍କ ଆଗମନ ପାଇଁ। ଶାନ୍ତ ସ୍ନିଗ୍ଧ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଓ ଏହାର ଅପରୂପ ପ୍ରାକୃତିକ ଶୋଭା ରାଜି ବଣ ଭୋଜି ପାଇଁ ବେଶ ଖୋରାକ ଯୋଗାଇଚ୍ଛି। ଏଣୁ ରାଜ୍ୟର କୋଣ ଅନୁକୋଣ ରୁ ବର୍ଷ ସାରା ଏଠାକୁ ପର୍ଯ୍ୟଟକ ଆସୁଥିବା ବେଳେ ଡିସେମ୍ବର ମାସରେ ଏହା ବେଶ କୋଳାହଳ ମୟ ହୋଇ ଉଠେ । କାହିଁ କେଉଁ ଆଦିମ କାଳରୁ ସୁଳିଆ ପାହାଡ଼ର ବକ୍ଷ ଚିରି ଅନବରତ ଭାବରେ ବହି ଚାଲିଛି ଶାନ୍ତି ଝର । ଉପର ମୁଣ୍ଡରେ ହନୁମାନ ବାଟିକା,ମଝିରେ ମା ଗଡଚଣ୍ଡୀ ଓ ପାଦଦେଶରେ ମା କଠୁଳିଆ ଦେବୀ । ତିନି ଦେବା ଦେବୀଙ୍କ ପଦ ଧଉତ କରି ନିରବଛର୍ନ ଭାବେ ବର୍ଷ ତମାମ ବହି ଚାଲିଛି ଶାନ୍ତି ଝର । ତଳ ମୁଣ୍ଡରେ ଶହ ଶହ ଏକର ଜମିକୁ ପାଣି ଯୋଗାଇ ଶସ୍ୟ ଶ୍ୟାମଳ କରିବା ସହ କୃଷକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଛି।ଧରାକୋଟ ଗଡର ରାଜବଂଶର ଇତିହାସକୁ ବହନକରି ଅଦ୍ୟାବଧି ନିଜର କାୟା ବିସ୍ତାର କରି ସତେ ଯେମିତି ପର୍ଯ୍ୟଟକ ଙ୍କୁ ହାତ ଠାରି ଡାକୁଛି ଶାନ୍ତି ଝର । ଧରାକୋଟ ଥାନା ଠାରୁ ଉତ୍ତରକୁ ଲମ୍ବି ଯାଇଛି ଏକ କଂକ୍ରିଟ,ମୋରମ ରାସ୍ତା । ପ୍ରାୟ ଏକ କିମି ଦୂରରେ ଅବସ୍ଥିତ ଏହି ପୀଠ । ହନୁମାନ ବାଟିକା ପର୍ଯ୍ୟନ୍ତ 230 ଗୋଟି ପାହାଚ, ସାମନାରେ ଶିଶୁ ପାର୍କ,ମଝିରେ ଶାନ୍ତି କୁଣ୍ଡ । ଚତୁର ଦିଗରେ ଶାଳ,ଆମ୍ବ,ପଣସ,କଦମ୍ବ,ବଉଳ ଗଛ ସାଙ୍ଗକୁ ଲତା ବୁଦା ଆଚ୍ଛାଦିତ ଏହି ପୀଠ ବେଶ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ।

ପର୍ଯ୍ୟଟକ ଙ୍କୁ ଟାଣି ଆଣୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ସରକାର ପର୍ଯ୍ୟଟନ କୁ ବେଶ ଗୁରୁତ୍ବ ଦେଇ ବିଭିନ୍ନ ସ୍ଥାନର ଭିତ୍ତି ଭୂମି ବିକାଶ କରୁଛନ୍ତି ।ରାଜ୍ୟର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ପ୍ରମୁଖ ମାଧ୍ୟମ ।ଏଥି ପାଇଁ ସରକାର ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି ।କିନ୍ତୁ ଧରାକୋଟ ଓ ଏହାର ଆଖ ପାଖ ଅଞ୍ଚଳରେ ଇତିହାସର ସ୍ୱାକ୍ଷର ବହନ କରି ବହୁ କିମ୍ବଦନ୍ତୀ ପୀଠ ରହିଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଏହା ଉପରେ ପଡୁନାହିଁ । ଏଣୁ ଏହାର ଭିତ୍ତି ଭୂମି ର ବିକାଶ ହୋଇପାରୁନାହିଁ । ଯାହା ଫଳରେ ପର୍ଯ୍ୟଟକ ମାନେ ଏଠାକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଶିଶୁ ଙ୍କ ଠାରୁ ପ୍ରାପ୍ତ ବୟସ୍କ ଏବଂ ପ୍ରୌଢ଼ ବୟସ୍କଙ୍କ ମନୋରଞ୍ଜନ ପାଇଁ ସନ୍ତିଝର୍ ଏକ ପ୍ରକୃଷ୍ଠ ପୀଠ। ସଂପ୍ରତି ଶାନ୍ତି ଝର ଉନ୍ନୟନ ପରିଷଦ ଗଠନ କରାଯାଇ ଏହାର ପରିବେଶର ସୁରକ୍ଷା ସହ ସ୍ବଚ୍ଛତା ପାଇଁ ପଦକ୍ଷେପ ନିଆଯାଉଛି । ଏଣୁ ସରକାର ଏହାର ବିକାଶ କରିବା ପାଇଁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।




